ପୋଲିସକୁ ଚକ୍ମା ଦେଇ ହାତକଡି ସହ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ
5/11/2019 at 10:26 AM

ବାରିପଦା ୫।୧୧: ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । ହାତରେ ହାତକଡି ଲାଗିଥିବା ସହ ଗତକାଲି ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନାରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତ ହେଲା ଯଶିପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳର ରବି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ବାରିପଦା ସ୍ଥିତ ହୁଡକୋ କଲୋନୀରେ ରହି ଗାଡି ଡ୍ରାଇଭର ଭାବେ କାମ କରି ଆସୁଥିଲା। ତେବେ ଗତକାଲି ମଦ୍ୟପାନ କରି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶିବା ସହିତ ତାଙ୍କ ଘରେ ଥିବା ଜନୈକ ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲା । ଏ ବାବଦରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ଟାଉନ ଥାନା ପୋଲିସ। ତେବେ ଗତକାଲି ରାତିରେ ରବି ହାତରେ ହାତକଡା ଲଗାଇ ହାଜତରେ ରଖିବା ପରେ ନିଶ୍ଚିତ ହୋଇ ଶୋଇ ପଡିଥିଲେ ପୋଲିସ ବାବୁ ମାନେ। ବିଳମ୍ବିତ ରାତିରେ ପୋଲିସ ବାବୁମାନଙ୍କ ଏଭଳି କୁମ୍ଭକର୍ଣ୍ଣ ନିଦ୍ରାର ସୁଯୋଗ ନେଇ ହାତକଡା ସହ ଅଭିଯୁକ୍ତ ଫେରାର ହୋଇଯାଇଛି । ସକାଳୁ ପୋଲିସ ତାକୁ ଧରିବା ଲାଗି ପୁଣି ଛାନଭିନ ଆରମ୍ଭ କରିଛି ।