ଅଗଷ୍ଟ ୧ରୁ ବଦଳିଯିବ ଏହି ସବୁ ନିୟମ: ଏଟିଏମ୍‌ରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ, କେଓ୍ଵାଇସି ଅପଡେଟ୍ ନହେଲେ ଖାତା ବନ୍ଦ

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୦୭: ଏଟିଏମଠୁ ନେଇ କେଓ୍ଵାଇସି ପର୍ଯ୍ୟନ୍ତ ଅଗଷ୍ଟ ୧ରୁ ଅନେକ ଜରୁରୀ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମରୁ ଟଙ୍କା କାଢିବା କେବଳ ମହଙ୍ଗା ହେବ ନାହିଁ ବରଂ ଯଦି ଆପଣ ସମୟ ପୂର୍ବରୁ ନିଜର କେଓ୍ଵାଇସି ଅପଡେଟ୍ କରି ନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ।

ଯଦି ଆପଣ ସେୟାର ବଜାର ସହ ଜଡିତ ଏବଂ କ୍ରମାଗତ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ଡିମାଟ୍ ଓ ଟ୍ରେଡିଂ ଖାତାର କେଓ୍ଵାଇସି ଅପଡେଟ୍ କରାଇବା  ଜରୁରୀ। ଯଦି ଆପଣ ଏ ପର୍ଯ୍ୟନ୍ତ ତାହା କରି ନାହାନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ ନଚେତ୍ ଆପଣଙ୍କ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ ବନ୍ଦ ହୋଇଯାଇପାରେ।

ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟରୀ ଲିମିଟେଡ୍(ଏନଏସଡିଏଲ) ନିଜ ପକ୍ଷରୁ ଜାରି ସର୍କୁଲାରେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମସ୍ତ ଡିମାଟ୍ ଓ ଟ୍ରେଡିଂ ଖାତାର କେଓ୍ଵାଇସି କାମ ଜୁଲାଇ ୩୧ ସୁଦ୍ଧା ସରିଯିବା ହେବା ଉଚିତ୍। ଏହି ଖାତାଧାରୀଙ୍କୁ କେଓ୍ଵାଇସି ଅପଡେଟ୍‌ରେ ଛଅ ସୂଚନା ଦେବାକୁ ପଡିଥାଏ।ଏଥିରେ ମୁଖ୍ୟତଃ ନାମ, ଠିକଣା, ପାନ୍, ମୋବାଇଲ ନମ୍ବର, ଇ-ମେଲ୍ ଆଇଡି ଓ ବାର୍ଷିକ ଆୟ ସାମିଲ।

ସେହି ପରି ଅଗଷ୍ଟ ୧ରେ ଏଟିଏମ ଇଣ୍ଟରଚେଞ୍ଜ ଶୁଳ୍କ ୨ ଟଙ୍କାରୁ ବଢାଯାଇ ୧୭ ଟଙ୍କା କରି ଦିଆଯିବ। ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିଲେ ପ୍ରତି ଟ୍ରାଞ୍ଜେକ୍ସନ ପିଛା ୬ ଟଙ୍କା କଟିବ। ଏହା ପୂର୍ବେ ୫ ଟଙ୍କା ଥିଲା। କିନ୍ତୁ ଆଇସିଆଇସିଆଇ ବ୍ୟାଙ୍କ ତିନୋଟି ମାଗଣା ଟ୍ରାଞ୍ଜେକ୍ସନ ପରେ ପ୍ରତି ଥର ୨୦ ଟଙ୍କା ଶୁଳ୍କ ଲଗାଇବାକୁ ଘୋଷଣା କରିଛି।

କେବଳ ଏଟିଏମ ନୁହେଁ, ଭାରତୀୟ ଡାକ ବ୍ୟାଙ୍କ(ଆଇପିପିବି) ଅଗଷ୍ଟ ୧ରୁ ଘରେ ସେବା ପାଇଁ ଚାର୍ଜ କରିବ। ଗ୍ରାହକଙ୍କୁ ସୁକନ୍ୟା କିମ୍ବା ଅନ୍ୟ ଖାତା ସମ୍ବନ୍ଧିତ ସେବାଗୁଡିକୁ ଘରେ ଥାଇ ନେବାକୁ ହେଲେ ପ୍ରତି ଥର ୨୦ ଟଙ୍କା ଓ ଜିଏସଟି ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଅଗଷ୍ଟ ୧ରୁ ଆପଣଙ୍କ ଦରମା କିମ୍ବା ପେନସନ ଉପରେ ରବିବାର କି ଛୁଟି ଦିନର ପ୍ରଭାବ ପଡିବ ନାହିଁ। ଛୁଟି ଦିନରେ ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଦରମା ଜମା ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.