ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇବାକୁ ବାଧ୍ୟ

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ୨୭|୨: ପାକିସ୍ତାନ ଯଦି ସତରେ  ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିନେଇଥାଏ ତାହେଲେ ଜେନେଭା  ଚୁକ୍ତି ଅନୁସାରେ ତାଙ୍କୁ ସସମ୍ମାନେ ଛାଡିବା ପାଇଁ ବାଧ୍ୟ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯଦି ପାକିସ୍ତାନ ଗିରଫ କରିଛି ତାହେଲେ ଜେନେଭା ଚୁକ୍ତିରେ ପ୍ରିଜନର ଅଫ ୱାର ବା ଯୁଦ୍ଧବନ୍ଦୀଙ୍କ ପାଇଁ ଯେଉଁ ନିୟମ ରହିଛି ତାକୁ ପାଳନ କରିବାକୁ ହେବ । ଏହି ଆନ୍ତର୍ଜାତିକ ଚୁକ୍ତିରେ ଯୁଦ୍ଧବନ୍ଦୀଙ୍କୁ ପଚରାଉଚରା ପରେ ସସମ୍ମାନେ ନିଜ ଦେଶକୁ ପଠାଇଦିଆଯାଇଥାଏ ।

୧୯୯୯ ମସିହା ମେ ୧୭ ତାରିଖରେ କାରଗିଲ ଯୁଦ୍ଧ ମୟରେ ମଧ୍ୟ ୱିଙ୍ଗ କମାଣ୍ଡର ନଚିକେତାଙ୍କୁ ପାକିସ୍ତାନ ଗିରଫ କରିଥିଲା । ତେବେ ତାଙ୍କୁ ପଚରାଉଚରା ପରେ ୮ ଦିନ ରଖି ରେଡକ୍ରସ ଦ୍ବାରା ଭାରତକୁ ଫେରାଇଦିଆଯାଇଥିଲା । କାର୍ଗିଲ ଯୁଦ୍ଧ ସମୟରେ ନଚିକେତା ଚଳାଉଥିବା ବିମାନ ଖରାପ ହୋଇଯାଥିଲା । ଇଂଜିନରୁ ବାହାରୁଥିବା ନିଆଁ ଧାସରେ ଆହତ ହୋଇଥିଲେ ।

ଆଜି ପ୍ରଥମେ ଦୁଇଜଣ ପାଇଲଟଙ୍କୁ ଗିରଫ କରିଥିବା ନେଇପାକିସ୍ତାନ ପ୍ରେସ ବିବୃ୍ତ୍ତି ଜାରି କରିଥିଲା । କିନ୍ତୁ ପରବର୍ତ୍ତି ସମୟରେ କେବଳ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି ଏବଂ ସେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବୋଲି କହିଥିଲା । ଏପରିକି ମୁହଁ ଘୋଡାଯାଇଥିବା  ଜଣେ ଯୁବକଙ୍କ ଦୁଇଟି ଭିଡିଓ ଜାରୀ କରି ଏହା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ତାଙ୍କୁ ପାକିସ୍ତାନ ସେନା ଠିକ ବ୍ୟବହାର କରୁଛି ବୋଲି ମୁହଁ ଘୋଡାଯାଉଥିବା ବ୍ୟକ୍ତି କହୁଛନ୍ତି । ସେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବୋଲି ମଧ୍ୟ ଭିଡିଓରେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଦିନ ୧୧: ୩୦ ବେଳେ ପାକିସ୍ତାନ ବାୟୁସେନାର ଏକ ଏଫ-୧୬ ବିମାନ ଭାରତର ବାୟୁ ସୀମା ମଧ୍ୟକୁ ପ୍ରବେଶ କରିଥିଲା । ଭାରତୀୟ ବାୟୁସେନା ଏହାର ଜବାବ ଦେଇଥିଲା । ପାକିସ୍ତାନ ବିମାନକୁ ଭାରତୀୟ ବାୟୁସେନା ଖସାଇଦେଇଥିଥିଲା । ଅପରପକ୍ଷରେ ଭାରତର ଦୁଇଟି ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବୀ କରିଛି । ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭାରତୀୟ ସୀମାରେ ପଡିଥିବାବେଳେ ଅନ୍ୟଟି ପାକିସ୍ତାନ ସୀମାରେ ପଡିଥିଲା ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ ପଟେ ପଡିଥିବା ବିମାନର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଥିଲେ । ବିମାନ କ୍ରାସ କରିଯିବା ପରେ ସେ ପାରାଚୁଟ ଯୋଗେ ଖସିବାବେଳେ ତାଙ୍କୁ ପାକ ସେନା ଗିରଫ କରିଥିବା ପାକିସ୍ତାନ ଦାବି କରିଛି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆହତ ହୋଇଛନ୍ତି ଓ ତାଙ୍କୁ ସେନା ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଦିଆଯାଉଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.