ବିଶେଷଜ୍ଞଙ୍କ ମତ- ରାଜ୍ୟରେ ଆଉ ୧୫ ଦିନ ଏଭଳି ବଢିଚାଲିବ କରୋନା

Published By : Prameya-News7 Bureau | July 27, 2020 IST

ଭୁବନେଶ୍ବର୨୭/୭:  ରାଜ୍ୟରେ ଏବେ ପିକ୍‌ରେ ରହିଛି କରୋନା ସ୍ଥିତି । କିଛିଦିନ ଧରି ଯେହେତୁ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ପାଖାପାଖି ୧୫୦୦ ରହୁଛି ସେଥିପାଇଁ ଏଭଳି ଆକଳନ କରୁଛନ୍ତି ବିଶେଷଜ୍ଞ । ଆଇଏଲସ  ନିର୍ଦ୍ଦେଶକ ଅଜୟ ପରିଡ଼ା ବି ଏଭଳି ସୂଚନା ଦେଇଛନ୍ତି ।

ସୋମବାର ରାଜ୍ୟରେ ୧୫୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ପଜିଟିଭ୍‌ ସଂଖ୍ୟା ଥିଲା ୧୩୭୬ । ୨୫ ତାରିଖରେ କରୋନା ପଜିଟିଭ ସଂଖ୍ୟା ୧୩୨୦ ଥିବା ବେଳେ ୨୪ ତାରିଖରେ ଥିଲା ୧୫୯୪ । ଏଥିରୁ ତିନୋଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ଚିହ୍ନଟ ହେଉଛି ୬୫ ପ୍ରତିଶତ ଆକ୍ରାନ୍ତ । ଏଭଳି ସ୍ଥିତିରେ ଦିନକୁ ୧୫ ହଜାର  ଟେଷ୍ଟିଂ କରିବାକୁ ଯୋଜନା କରୁଛନ୍ତି ସରକାର । ଗଞ୍ଜାମ ଭଳି ରାଜ୍ୟର ଅନ୍ୟ ଜିଲ୍ଲାରେ ବି ମୋବାଇଲ ଭ୍ୟାନ ଜରିଆରେ ଆଣ୍ଟିଜେନ ଟେଷ୍ଟିଂ ଲାଗି ଯୋଜନା ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦେଶକ ।

ବିଶେଷଜ୍ଞଙ୍କ ମତ, ରାଜ୍ୟରେ ଆଉ ୧୫ ଦିନ ଏଭଳି ବଢିଚାଲିବ କରୋନା । ତାପରେ ସ୍ଥିତିରେ ସ୍ଥିରତା ଆସିବ । ଅଗଷ୍ଟ ୧୫ ଦିନ ପରେ କରୋନା କର୍ଭ ଫ୍ଲାଟେନ୍ ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ବରିଷ୍ଠ ଡାକ୍ତର ତଥା ସୋଆ କୁଳପତି ଅଶୋକ ମହାପାତ୍ର । ଡାକ୍ତର ଅଶୋକ ମହାପାତ୍ରଙ୍କ କହିବା ଅନୁଯାୟୀ ଦେଶରେ ଅନେକ ସ୍ଥାନରେ କରୋନା କର୍ଭ ନିମ୍ନଗାମୀ ହେଲେଣି । ମୁମ୍ବାଇ, ଦିଲ୍ଲି ରେ ବି କରୋନା କର୍ଭ ତଳକୁ ଆସିଲାଣି । ବିଶ୍ବର ଅନେକ ଦେଶରେ ବି କରୋନା ସଂକ୍ରମଣ ଏବେ କମିବାରେ ଲାଗିଛି ।

ରାଜ୍ୟରେ ପ୍ରଥମ କରୋନା କେସ୍ ଆସିଥିଲା ମାର୍ଚ୍ଚ୨୦ରେ । ୨୧ ଜୁନ୍ ରେ ୫୦୦୦ ଛୁଇଁଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତା ପରେ ଜୁଲାଇ ୭ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁଥିବା ବେଳେ ତାର ମାତ୍ର ୯ ଦିନ ଅର୍ଥାତ ୧୬ ଜୁଲାଇରେ ସଂଖ୍ୟା ଛୁଇଁଥିଲା ୧୫ ହଜାର ।୨୩ ଜୁଲାଇ ବେଳକୁ କୋଭିଡ ଆକ୍ରାନ୍ତ ସଂଖ୍ୟା ୨୦ ହଜାର ଥିଲା । ୨୭ ଜୁଲାଇ ଅର୍ଥାତ ଆଜି ସୁଧା କରୋନା ଆକ୍ତାନ୍ତଙ୍କ ସଂଖ୍ୟା ରାଜ୍ୟରେ ପହଁଚିଛି ୨୬, ୮୯୨ ରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.