ଗଙ୍ଗା ନଦୀରେ ମାଲବାହୀ ଜାହାଜ ସହ ବଡ ଦୁର୍ଘଟଣା, ବୁଡିଗଲା ୮ ଟ୍ରକ, ଅନେକ ନିଖୋଜ
23/11/2020 at 10:04 PM

ରାଞ୍ଚି ୨୩।୧୧: ଝାଡଖଣ୍ଡର ସାହିବଗଞ୍ଜର ରାଜମହଲରୁ ମାଲଦା ମଧ୍ୟରେ ଫେରି ଘାଟରେ ଯାଉଥିବା ଜାହାଜ ବଡ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ଜାହାଜରେ ପଥରରେ ଲଦା ୮ ଟ୍ରକ ଗଙ୍ଗା ନଦୀରେ ବୁଡି ଯାଇଛି। ଦୁର୍ଘଟଣା ପରେ ଛଅ ଜଣ ଟ୍ରକ ଡ୍ରାଇଭର ଓ ଚାରି ଜଣଙ୍କୁ ଗଙ୍ଗା ନଦୀରୁ ଉଦ୍ଧାର କରାଯାଇଛି। ଜାହାଜର ଜଣେ କର୍ମଚାରୀ ଓ ବଳକା ଟ୍ରକର ଡ୍ରାଇଭର ଓ ଶ୍ରମିକ ବର୍ତ୍ତମାନ ନିଖୋଜ ଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ସାହିବଗଞ୍ଜ ଜିଲ୍ଲାର ରାଜମହଲରୁ ଗଙ୍ଗା ନଦୀରେ ପଥର ନେଇ ଯାଉଥିବା ଜାହାଜ ପଶ୍ଚିମବଙ୍ଗ ଯାଉଥିଲା। ଏହି ସମୟରେ ଜାହାଜଟି ନଦୀରେ ବୁଡିଯାଇଥିଲା। ଏହି ଦୁର୍ଘଟଣା ପଶ୍ଚିମବଙ୍ଗର ମାନିକଚକ ଘାଟ ନିକଟରେ ଘଟିଛି। ପାଣି ଜାହାଜରେ ଥିବା ୮ ଟ୍ରକ ବୁଡି ଯାଇଛି। କୁହାଯାଉଛି ସବୁ ଟ୍ରକରେ ପଥର ଲଦା ଯାଇଥିଲା।
ସୁଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଲୋଡିଂ ସମୟରେ ଜାହାଜ ନଦୀରେ ଓଲଟି ପଡିଥିଲା। ଫଳରେ ଅନେକ ଲୋକଙ୍କ ସହିତ ୮ ଟ୍ରକ ପାଣି ଭିତରେ ବୁଡି ଯାଇଛନ୍ତି। କୁହାଯାଉଛି ୮ ଟ୍ରକ ଗୋଟିଏ ପାର୍ଶ୍ଵରେ ଲୋଡ୍ ହେବା କାରଣରୁ ଜାହାଜ ଓଲଟି ପଡିଥିଲା। ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଟ୍ରକକୁ ପାଣିରୁ କଢା ଯାଇ ପାରି ନାହିଁ। ଯୁଦ୍ଧକାଳୀନସ୍ତରରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।