କାର୍‌-ଟ୍ରକ୍‌ ମୁହାଁମୁହିଁ: ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର

Published By : Prameya-News7 Bureau | October 23, 2020 IST

ପାଣିକୋଇଲି୨୩/୧୦: ଜାତୀୟ ରାଜପଥ ସଂପ୍ରସାରଣ ନିମନ୍ତେ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ମନଇଚ୍ଛା ଡାଇଭର୍ସନ ନିର୍ମାଣ କରୁଛନ୍ତି। ଏହି ଡାଇଭର୍ସନ ନିମନ୍ତେ ଯାତ୍ରୀ ରାଜପଥକୁ ଓହ୍ଲାଇବାକୁ ଭୟ କରୁଛନ୍ତି। ଜାତୀୟ ରାଜପଥରେ ଲାଗି ରହୁଛି ଘଣ୍ଟା ଘଣ୍ଟା ଜାମ୍‌ । ଏପରିକି ଦୁର୍ଘଟଣା ଏବେ ନିତିଦିନିଆ ଘଟଣା ପାଲଟିଲାଣି । ମାତ୍ର କେଇ ଦିନରେ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତଥାପି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ଚେତୁନାହାନ୍ତି । ଏହି ବେଆଇନ୍‌ ଡାଇଭର୍ସନ ଯୋଗୁ ପୁଣି ଅକାଳରେ ଦୁଇଟି ଜୀବନ ଝଡ଼ି ପଡ଼ିଛି । ଏଥି ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ମକୁନ୍ଦବିନ୍ଧା ଗ୍ରାମ ନିକଟରେ ରାସ୍ତା କାର୍ଯ୍ୟ ଯୋଗୁ ଏଠାରେ ଡାଇଭର୍ସନ ନିର୍ମାଣ କରାଯାଇଛି । ଗୋଟିଏ ପାଶ୍ୱର୍ରେ ଉଭୟ ଗାଡ଼ି ଯିବା ଆସିବା କରୁଛି । ମକନ୍ଦବିନ୍ଧା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଓ ୱାଗନର ମୁହାଁମୁହିଁ ଧକ୍କା ଯୋଗୁ ୱାଗନର୍‌ ଚାଳକଙ୍କ ସମେତ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ରଶ୍ମିରଂଜନ ସେନାପତି(୪୨) ଓ ଗାଡ଼ି ଚାଳକ ପୁରୀ ନିମାପଡ଼ା ଅଞ୍ଚଳର ଜୟରାମ ସାମନ୍ତସିଂହାର(୩୬) ହୋଇଥିବା ବେଳେ ଗୁରୁତର ପୁରୀ ନିମାପଡ଼ା ଅଞ୍ଚଳର ସୂର୍ଯ୍ୟେନ୍ଦୁ ଦାସ ବୋଲି ଜଣାପଡ଼ିଛି ।

ରଶ୍ମିରଂଜନ ବାରିପଦାରେ କୃଷି ବିଭାଗରେ ନିର୍ବାହୀ ଯନ୍ତ୍ରୀଭାବେ କାର୍ଯ୍ୟରତ ଥିଲେ । ସୂର୍ଯ୍ୟେନ୍ଦୁ ଉକ୍ତ ବିଭାଗରେ ସହକାରୀ ଯନ୍ତ୍ରୀଭାବେ କାର୍ଯ୍ୟରତ ଅଛନ୍ତି । ଉଭୟ ସୂର୍ଯ୍ୟେନ୍ଦୁଙ୍କ ୱାଗନର୍‌ କାର୍‌(ଓଡି୩୩ଏମ ୯୭୦୯)ରେ ଭୁବନେଶ୍ୱରରୁ ବାରିପଦା ଯାଉଥିଲେ । ମକୁନ୍ଦବିନ୍ଧା ନିକଟରେ ରାସ୍ତା କାର୍ଯ୍ୟ ଯୋଗୁ ଗୋଟିଏ ପାଶ୍ୱର୍ରେ ଗାଡ଼ି ଯିବା ଆସିବା କରୁଥିବାରୁ ୱାଗନରଟି ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌(ଓଆର୦୯ପି ୪୫୭)କୁ ଧକ୍କା ଦେଇଥିଲା । ଫଳରେ ୱାଗନର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ଚାଳକ ଜୟରାମର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.