ଏକ୍ସପ୍ରେସ୍‌-ୱେରେ ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଲା କାର, ୪ ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ, ୮ ମାସର ଶିଶୁ ଗୁରୁତର

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ, ୦୪/୧୦: ଦିଲ୍ଲୀ-ମେରଟ ଏକ୍ସପ୍ରେସ୍‌-ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ ସହ କାର ଧକ୍କା ହେବା ଫଳରେ ୫ ଜଣ ଲୋକଙ୍କ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇବା କ୍ଷଣି ପୋଲିସ୍‌ ଦୁର୍ଘଟଣା ସ୍ଥାନରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବା ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।

ବରିଷ୍ଠ ପୋଲିସ୍‌ ଅଧିକାରୀ ପ୍ରଭାକର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ମେରଟ ଜିଲ୍ଲାର ପରତାପୁର ଅଞ୍ଚଳରେ ସକାଳ ପାଖାପାଖି ୮ଟା ସମୟରେ ଦିଲ୍ଲୀ ପଟରୁ ଆସୁଥିବା ଏକ ଦ୍ରୁତଗାମୀ କାର ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ କାର ଭିତରେ ଥିବା ୪ ଜଣ ମହିଳାଙ୍କ ସମେତ ୫ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏଥିରେ ୮ ମାସର ଗୋଟିଏ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଥିବା ବେଳେ ଶିଶୁଟିକୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତିମାନେ ଗୋଟିଏ ପରିବାରର ସଦସ୍ୟ । ଡ୍ରାଇଭର ଘୁମେଇବା କାରଣରୁ କାରଟି ଭାରସାମ୍ୟ ହରାଇ ଟୋଲ୍‌ ପ୍ଲାଜା ପାଖରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇଯାଇଥିଲା । ପୋଲିସ୍‌ ଏନେଇ ଟ୍ରକ୍‌ ଡ୍ରାଇଭରକୁ ପୋଲିସ୍‌ ଗିରଫ କରିଛି । ଦୁର୍ଘଟଣା ସଂପର୍କରେ ଜାଣିବା ପାଇଁ ପୋଲିସ୍‌ ପାଖା ପାଖି ଲାଗିଥିବା ସିସିଟିଭିକୁ ଚେକ୍‌ କରୁଥିବା ଜଣାପଡ଼ିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.