ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20/01/2021 at 7:03 PM

ବଲାଙ୍ଗୀର୨୦/୧: ରାସ୍ତା ପାର ହେବା ବେଳେ ଚାପି ଦେଲା ସିମେଣ୍ଟ ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଗଲେ ଯୁବତୀ। ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧିନ ଜୁରିଆ ଗାଁରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଗାଁର ଜଗ ମେହେରଙ୍କ ଝିଅ ସୋନାଲି ମେହେରଙ୍କ ଉପରେ ଟ୍ରକ ମାଡି ଯାଇଥିଲା।
ମିଳିଥିବା ସୂଚନା ମୁତାବକ, ରାସ୍ତା ପାର ହେବା ବେଳେ ଛତିଶଗଡ଼ ଆଡୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରକ ସୋନାଲିଙ୍କୁ ଚାପି ଦେଇଥିଲା। ଏହି ଦୁର୍ଘଟଣାରେ ସୋନାଲିଙ୍କ ଗୋଟେ ଗୋଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ଏ ସଂପର୍କରେ ଲରମ୍ଭା ଥାନା ଅଧିକାରୀ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ଲରମ୍ଭ ଥାନାରେ କେସନଂ-୭ ଦଫା,୨୭୯,୩୩୭,୩୩୮ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ପୋଲିସ।