ଘାଟି ତଳକୁ ଖସିଲା ଭ୍ୟାନ: ୫ ମୃତ, ୪ ଗୁରୁତର
6/03/2020 at 5:25 PM

ଡେରାଡୁନ ୦୬|୦୩: ଉତ୍ତରାଖଣ୍ଡର ଟିହରୀର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଥୌଲଧାର ବ୍ଲକର ଜ୍ୱାରନା-ବଙ୍ଗିୟାଲ ରାସ୍ତାରେ ଏକ ଭ୍ୟାନ ଘାଟି ତଳକୁ ଖସି ପଡିଛି। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୩ଜଣ ମହିଳା ରହିଛନ୍ତି।

ସୂଚନାନୁସାରେ, ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଯାତ୍ରୀ ମ୍ୟାକ୍ସ୍ ଭ୍ୟାନରେ ଭମୋରିଖାଲରୁ ନିଜ ଗ୍ରାମକୁ ଯାଉଥିଲେ। ଏହି ସମୟରେ ଗାଡିଟି ହଠାତ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା। ଗାଡିରେ ମୋଟ ୯ଜଣ ଯାତ୍ରୀ ଥିଲେ।
ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ୫ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି। ସେହିପରି ୨ଜଣ ମହିଳା ଓ ୨ ପୁରୁଷଙ୍କ ସହ ମୋଟ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।