କେରଳକୁ ବିଦେଶ ଫେରନ୍ତା କାଳ: ରୋଗ ଲୁଚାଉଥିଲେ, ଥର୍ମାଲ୍ ସ୍କ୍ରିନିଂରୁ ଖସିବାକୁ ଖାଉଥିଲେ ପାରାସିଟାମଲ, ଏବେ ଫେରିଲା କରୋନା

Published By : Prameya-News7 Bureau | May 19, 2020 IST

ଥିରୁବନ୍ତପୂରମ, ୧୯|୦୫:    ସାରା ଦେଶ ଭଳି କେରଳ ମଧ୍ୟ କରୋନା ଭାଇରସର ମୁକାବିଲା କରୁଛି । କିନ୍ତୁ ବିଦେଶ ଫେରନ୍ତାଙ୍କ ପାଇଁ ଏହି ରାଜ୍ୟରେ ପୁଣି ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଯାହା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ମଙ୍ଗଳବାର ଏଠାରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମସ୍ତ ସଂକ୍ରମିତ ବିଦେଶରୁ ଫେରିଥିଲେ । ସବୁଠାରୁ ବଡ କଥା ହେଉଛି ଯେ, ଏହି ପ୍ରବାସୀ ଭାରତୀୟମାନେ ନିଜ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଅନେକ ତଥ୍ୟ ଲୁଚାଉଛନ୍ତି ।

ବିଶେଷ କରି ଉପସାଗରୀୟ ଦେଶରୁ ଫେରିଥିବା ଏହି ପ୍ରବାସୀ ଭାରତୀୟମାନେ ସରକାରଙ୍କ ଚିନ୍ତା ବଢାଇ ଦେଇଛନ୍ତି । କେରଳରେ ଗତ ୫ଦିନରେ ୧୦୦ରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୬୪୨ରେ ପହଁଚିଛି । କିଛିଦିନ ପୂର୍ବରୁ ଏଠାରେ ମୋଟ ସକ୍ରିୟ ମାମଲା ୧୬କୁ ଖସି ଆସିଥିଲା । ଯାହା ଏବେ ହୁହୁ ହୋଇ ବଢିଚାଲିଛି ।

ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ, ବିଦେଶ ଫେରନ୍ତାମାନେ ନିଜ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଉଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣ ଗତ ୨ଦିନ ତଳେ ଆବୁଧାବିରୁ ଥିରବନ୍ତପୂରମ ଫେରିଥିଲେ । ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଆବୁଧାବିରେ ବିମାନରେ ବସିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । କିନ୍ତୁ ସେମାନେ ତଥ୍ୟ ଲୁଚାଇଥିଲେ । ଏବେ ପ୍ରଶାସନ ସେହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଟେଷ୍ଟ୍ କରିବାକୁ କହିଛି ।

ଏପରି ଅନେକ ଅଭିଯୋଗ ଆସୁଛି ଯେତେବେଳେ କିଛି ବ୍ୟକ୍ତି ବିମାନବନ୍ଦରକୁ ଆସିବା ପୂର୍ବରୁ ପାରାସିଟାମଲ ଖାଉଛନ୍ତି । ଫଳରେ ଯାଂଚ ବେଳେ ସେମାନେ ସାଧାରଣ ବୋଲି ଜଣାପଡିବେ । ଏପରିକି ଥର୍ମାଲ ସ୍କ୍ରିନିଂରୁ ମଧ୍ୟ. ସେମାନେ ବର୍ତ୍ତିଯାଉଛନ୍ତି । କାରଣ ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ।

ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ଏହା ଏକ ଗୁରୁତର ପ୍ରସଙ୍ଗ । ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଓ ଦୂତାବାସଙ୍କ ନିକଚରେ ଉଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.