ପଞ୍ଜାବ, ୟୁପି, ଉତ୍ତରାଖଣ୍ଡ ଏବଂ ଗୋଆରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜନତାଙ୍କ ପ୍ରଥମ ପସନ୍ଦ କିଏ ? ଏବିପି ସି-ଭୋଟର ସର୍ଭେକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧: ଆସନ୍ତାବର୍ଷ ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜ୍ୟ ରାଜନୀତିଠୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ସକ୍ରିୟ ହୋଇ ଉଠିଲେଣି ରାଜନୈତିକ ଦଳ। ଆଉ ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି ନେତା, ମନ୍ତ୍ରୀ ଏବଂ ଦଳୀୟ ହାଇକମାଣ୍ଡ।  ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାରି ମଧ୍ୟରେ ନିର୍ବାଚନୀ ରାଜ୍ୟଗୁଡିକରେ ଭୋଟରଙ୍କ ମୋଡ୍ ପରଖିଛି ଏବିପି ନ୍ୟୁଜ୍ ସି-ଭୋଟର। ସର୍ଭେ ଅନୁଯାୟୀ କିଛି ରାଜ୍ୟରେ ସରକାର ବିରୋଧୀ ହାଓ୍ଵା ବହିଲାଣି ତ ଆଉ କେଉଁଠି ଶାସକ ଦଳ ନିଜ କ୍ଷମତା ବଜାୟ ରଖିବାରେ ସକ୍ଷମ ହେଉଥିବା ସର୍ଭେରୁ ଦେଖିବାକୁ ମିଳିଛି। ଏବିପି ସି ଭୋଟରର ଏହି ସର୍ଭେ ରିପୋର୍ଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।  ତେବେ ସି-ଭୋଟର ପକ୍ଷରୁ ନଭେମ୍ବର ପ୍ରଥମ ସପ୍ତାହରେ ସର୍ଭେ କରାଯାଇ ଏହି ସବୁ ରାଜ୍ୟରେ ଲୋକଙ୍କ ପ୍ରଥମ ପସନ୍ଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଜାଣିବାକୁ ପ୍ରୟାସ କରାଯାଇଛି।

ପଞ୍ଜାବ- ସର୍ଭେ ଅନୁସାରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଲୋକପ୍ରିୟ ଚେହେରା ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି। ଚନ୍ନିଙ୍କୁ ରାଜ୍ୟରେ ୩୦.୯ ପ୍ରତିଶତ ଲୋକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ସେହଭିଳି ପଞ୍ଜାବରେ ସମସ୍ତ ସିଟ୍‌ରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବା ଆପ୍‌କୁ ମଧ୍ୟ ଭଲ ସଙ୍କେତ ମିଳିଛି। କାରଣ ୨୦.୮ ପ୍ରତିଶତ ଜନତା ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଆଶା ରଖିଛନ୍ତି। ସେହିଭଳି ସୁଖବୀର ବାଦଲଙ୍କୁ ୧୬.୧ ପ୍ରତିଶତ, ଭଗବତ ମାନଙ୍କୁ ୧୩.୯ ପ୍ରତିଶତ, ଅମରିନ୍ଦର ସିଂହଙ୍କୁ ୭.୫ ପ୍ରତିଶତ ଏବଂ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ୪.୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଚୟନ କରିଛନ୍ତି ।

ଉତ୍ତରପ୍ରଦେଶ- ଦେଶର ରାଜନୀତି କଥା ଆସିଲେ ଉତ୍ତରପ୍ରଦେଶ ଉପରେ ସମସ୍ତଙ୍କ ନଜର ଯିବା ସ୍ବାଭାବିକ। ୨୦୨୨ରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ସର୍ଭେ କହୁଛି, ପୁଣି ଥରେ ୟୁପି ଜନତା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ସର୍ବାଧିକ ୪୧.୪ ପ୍ରତିଶତ ଜନତାଙ୍କ ପ୍ରଥମ ପସନ୍ଦ ହେଉଛି ଯୋଗୀ ଆଦିତ୍ୟନାଥ। ତାଙ୍କ ପରେ ପରେ ୩୧.୭ ପ୍ରତିଶତ ଲୋକେ ସମାଜବାଦି ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରୁଥିବା ବେଳେ ମୟାବତୀଙ୍କୁ ୧୫.୬ ପ୍ରତିଶତ, ପ୍ରିୟଙ୍କା ଗାନ୍ଧୀଙ୍କୁ ୪.୯ ପ୍ରତିଶତ ଲୋକ , ଜୟନ୍ତ ଚୌଧୁରୀଙ୍କୁ ୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜର ପସନ୍ଦ ବୋଲି ବାଛିଛନ୍ତି ।

ଉତ୍ତରାଖଣ୍ଡ- ଉତ୍ତରାଖଣ୍ଡରେ ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ହରୀଶ ରାଓ୍ବତ। ରାଜ୍ୟର ୩୧.୫ ପ୍ରତିଶତ ଲୋକ ହରୀଶ ରାଓ୍ବତଙ୍କୁ ସିଏମ ସିଟ୍‌ରେ ଦେଖିବାକୁ ଚାହୁଁଛନ୍ତି। ଏହା ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଅଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ  ୨୭.୭ ପ୍ରତିଶତ ଲୋକ ଚୟନ କରିଛନ୍ତି । ତାଙ୍କ ପରେ ୧୮.୩ ପ୍ରତିଶତ ଲୋକଙ୍କ ପସନ୍ଦ ସହ ଅନୀଲ ବଲୁନି ଥିବା ବେଳେ କର୍ନେଲ ଅଜୟ କୋଠିୟାଲଙ୍କୁ ୮.୮ ପ୍ରତିଶତ ଲୋକ, ୩.୬ ପ୍ରତିଶତ ଲୋକ ବିସି ଖଣ୍ଡୁରୀଙ୍କୁ ଏବଂ ସତପାଲ ମହାରାଜାଙ୍କୁ ୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ୮.୧ ପ୍ରତିଶତ ଲୋକେ ସିଏମ ଭାବେ ଅନ୍ୟ ଚେହେରା ଖୋଜୁଛନ୍ତି।

ଗୋଆ-  ଯଦି ଗୋଆ ରାଜ୍ୟର କଥା ଆସେ ତେବେ ସି ଭୋଟର ସର୍ଭେ ମୁତାବିକ, ପ୍ରମୋଦ ସାଓନ୍ତଙ୍କୁ ସର୍ବାଧିକ ୩୦.୪ ପ୍ରତିଶତ ଲୋକେ ସିଏମ କ୍ୟାଣ୍ଡିଡେଟ୍‌ ଭାବେ ପସନ୍ଦ କରୁଛନ୍ତି। ତାଙ୍କ ପରେ ଆମ ଆଦମୀ ପାର୍ଟିକୁ ୧୯ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି। ବିଜେପିର ବିଶ୍ବଜିତ ରାଣେଙ୍କୁ ୧୫.୩ ପ୍ରତିଶତ, ଏମଜିପିର ରାମକୃଷ୍ଣ ଧାବଲିକରଙ୍କୁ ୬.୪ ପ୍ରତିଶତ, କଂଗ୍ରେସର ରବି ନାୟିକଙ୍କୁ ୪.୭ ପ୍ରତିଶତ  ଏବଂ କଂଗ୍ରେସର ଦିଗମ୍ବର କାମତଙ୍କୁ ୭.୨ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପସନ୍ଦ କରୁଥିବା ଏବିପି ସି-ଭୋଟର ସର୍ଭେରୁ ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.