ଦଶାହ ଭୋଜି ହେଲା କାଳ : ଗାଁର ୨୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | February 25, 2021 IST

ନୂଆପଡା ୨୫।୨: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ପଏଁର ଗାଁର ୨୦ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁରେ ଗତ ୨୧ ତାରିଖରେ ଏକ ବିବାହ ଭୋଜି ହୋଇଥିଲା । ୨୨ ତାରିଖରେ ମଧ୍ୟ ଗାଁରେ ଭୋଜିଭାତ ହେଲା ।  ପୁଣି ବୁଧବାର ଦିନ ଗାଁରେ ଜଣଙ୍କର ଦଶାହ ଭୋଜି ହୋଇଥିଲା ।  ରାତିରେ ଭୋଜି ଖାଇବା ପରେ ତାପର ଦିନ ସକାଳୁ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ ।  କିଛି ଲୋକଙ୍କ ପେଟ ବ୍ୟଥା ହେବା ସହ କିଛି ଲୋକଙ୍କର ଝାଡାବାନ୍ତି ହୋଇଥିଲା ।  ପ୍ରାୟ ୧୨ ଜଣ ଗୁରୁତର ହୋଇ ପଡିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆହୁରି ଅନେକ ଲୋକ ଅସୁସ୍ଥ ରହିଥିବା ଜଣା ପଡିଛି ।  ସମସ୍ତ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି ।  ଚିକିତ୍ସା ଚାଲୁ ରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.