ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ଗ୍ରାଣ୍ଡ ଓ୍ବିସ୍‌, କହିଲେ- ବିଶ୍ବ ଚାମ୍ପିୟନ୍‌ ହେବା ମୋର ଅନ୍ତିମ ଲକ୍ଷ୍ୟ

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୪/୦୭: ବିଶ୍ବ ଚାମ୍ପିୟନ୍‌ ହେବାକୁ ଲକ୍ଷ ରଖିଛନ୍ତି ସବୁଠୁ କମ୍‌ ବୟସରେ ଚେସ୍ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁ ମିଶ୍ର। ଭାରତୀୟ ଆମେରିକୀୟ ଅଭିମନ୍ୟୁ ମାତ୍ର ୧୨ ବର୍ଷ ୪ ମାସ ଏବଂ ୨୫ ଦିନ ବୟସରେ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବିଶ୍ବ ଚାମ୍ପିୟନ ହେବା ତାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ ବୋଲି କହିଛନ୍ତି ଅଭିମନ୍ୟୁ ମିଶ୍ର। ସେ କହିଛନ୍ତି, ‘ମୋର ଆଗାମୀ ଲକ୍ଷ୍ୟ ସୁପର ଗ୍ରାଣ୍ଡମାଷ୍ଟର ହେବି। ମୋର ବିଶ୍ବାସ ଅଛି ମୁଁ ଏଇ ମାଇଲଖୁଣ୍ଟ ୧୫ ବର୍ଷ ବୟସରେ ହାସଲ କରିନେବି।’

ପାଞ୍ଚ ବର୍ଷ ପୂର୍ବରୁ ଆମେରିକା ଚେସ୍‌ ଫେଡେରେସନ୍‌ର  ଓ୍ବେବସାଇଟ୍‌ରେ ଲାଲ କୁର୍ତ୍ତା ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବା ସାଢ଼େ ସାତ ବର୍ଷର ଭାରତୀୟ ବଂଶୋଦ୍ଭବ ଜଣେ ପିଲାର ଫଟୋ ଦେଇ ଲେଖିଥିଲା, ‘ଆମେରିକାର ସବୁଠୁ ଛୋଟ ଚେସ୍‌ ବିଶେଷଜ୍ଞ, ଯାହାର ଲକ୍ଷ ଗ୍ରାଣ୍ଡମାଷ୍ଟର ହେବା ।’ ପୁଣି ୫ ବର୍ଷ ପରେ ଓ୍ବେବସାଇଟ୍‌ରେ ସେହି ପିଲାର ଫଟୋ ପୁଣି ଥରେ ଲାଗିଛି। ଯାହାର ଶୀର୍ଷକ ରହିଛି,‘ଚେସ୍‌ ଇତିହାସର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର।’

ହସ ହସ ନିରୀହ ମୁହଁ ଏବଂ ଆଖିର ନରମ ଚାହାଁଣୀ ରଖିଥିବା ଏହି ପିଲା ଚେସ୍‌ରେ ବଡ଼ ବଡ଼ ହସ୍ତିଙ୍କୁ ମାତ ଦେଉଥିବା ଅଭିମନ୍ୟୁ ମିଶ୍ର। ୫ ବର୍ଷ ଭିତରେ ତାଙ୍କ ଉଚ୍ଚତା କେତେ ଇଞ୍ଚ ହୁଏତ ବଢ଼ିଥିବ କିନ୍ତୁ ସେ ବହୁ ବରିଷ୍ଠ ଖେଳାଳିଙ୍କ ମାତ ଦେଇ ବହୁ ଆଗରେ ପହଞ୍ଚିଛନ୍ତି । ୧୯ ବର୍ଷ ପୂର୍ବେ ୧୨ ଅଗଷ୍ଟ ୨୦୦୨ରେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟରର ମାନ୍ୟତା ପାଇଥିବା କାର୍ଜାକିନଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଭିମନ୍ୟୁ। କାର୍ଜାକିନ୍‌ ଯେଉଁ ବୟସରେ ଏହି ଉପଲବ୍ଧି ହାସଲ କରିଥିଲେ ଅଭିମନ୍ୟୁ ତାର ୨ ମାସ ୫ଦିନ ପୂର୍ବରୁ ଏହି ରେକର୍ଡ କରିଛନ୍ତି।

ଏହା ପୂର୍ବରୁ ଅଭିମନ୍ୟୁ ଭାରତର ପ୍ରଜ୍ଞାନନ୍ଦଙ୍କ ରେକର୍ଡ ଭାଙ୍ଗି ଦୁନିଆର ସବୁଠୁ କମ ବୟସର ଅନ୍ତର୍ଜାତୀୟ ମାଷ୍ଟର ହେବାର ଗୌରବ ଅର୍ଜନ କରିଥିଲେ। ସେପଟେ ରେକର୍ଡ ଭାଙ୍ଗି ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିବା ଅଭିମନ୍ୟୁଙ୍କୁ ଋଷର ସର୍ଗ କାର୍ଜାକିନ ଅଭିନନ୍ଦନ ଜଣାଇଛନ୍ତି। ଭାରତରେ ଜନ୍ମଜ୍ରହଣ କରିଥିବା ଅଭିମନ୍ୟୁଙ୍କ ବାପା-ମା ହେମନ୍ତ ମିଶ୍ର ଏବଂ ସୁମନ ଶର୍ମା ଆଗ୍ରା ଏବଂ ଭୋପାଳ ସହ ସମ୍ପର୍କିତ। ଦୁହେଁ ନ୍ୟୁଜର୍ସିରେ ଏକ ମ୍ୟାନେଜମେଣ୍ଟ କମ୍ପାନୀରେ କାର୍ଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.