ବାଲେଶ୍ବରରେ ବେଣୁଧରଙ୍କ ପ୍ରଚାର ଏବେ ଆହୁରି ସରଗରମ : ଗୀତ ଗାଇଲେ ଅଭିଜିତ୍ ଓ କାକା, ପୂର୍ବରୁ ପ୍ରଚାର କରିଥିଲେ ଦୁଇ ଅଭିନେତ୍ରୀ

Published By : Prameya-News7 Bureau | October 29, 2020 IST

ବାଲେଶ୍ବର ୨୯।୧୦: ବାଲେଶ୍ବର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ବାଲେଶ୍ବର ସଦରରୁ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ମଧ୍ୟ ଦିନକୁ ଦିନ ଜମୁଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭଳି ସ୍ବାଧୀନ ପ୍ରାର୍ଥୀ ବେଣୁଧର ବି ଭୋଟରଙ୍କୁ ବେଶ୍ ଆକୃଷ୍ଟ କରୁଛନ୍ତି । ତାଙ୍କ ପାଇଁ ଅନେକ ଅଭିନେତା, ସମାଜସେବୀ ପ୍ରଚାର କରିବା ପରେ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ନିଜେ ବେଣୁ ମଉସାଙ୍କ ପାଇଁ ଗୀତ ଗାଇଛନ୍ତି ।

…ନବେ ବରଷର ଯୁବକ… ହଟିବ ସବୁ କଷଣ… ହେବ ଉଦାହରଣ… ନାହିଁ ବାହୁ ବଳ, ନାହିଁ ପଇସା… ଏଥର ଆମ ବେଣୁ ମଉସା । ଆଉ ଏହି ଗୀତଟି ବାଲେଶ୍ବରରେ ପୁରା ଭାଇରାଲ୍ ହେବାରେ ଲାଗିଛି । ବେଣୁଧର ବାରିକ ମଧ୍ୟ ନିଜ ପ୍ରଚାର ଶୋଭାଯାତ୍ରାରେ ଅଭିଜିତ ମଜୁମଦାରଙ୍କ ଏହି ଗୀତଟିକୁ ବଜାଉଥିବା ଦେଖିବାକୁ ମିଳୁଛି । ଭୋଟରଙ୍କୁ ବେଶ ଆକୃଷ୍ଟ କରୁଛି ଏହି ଗୀତ ।

ପୂର୍ବରୁ ବେଣୁଧରଙ୍କ ପାଇଁ ନିଆରା ଢଙ୍ଗରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବିନା ପାରିଶ୍ରମିକରେ ପ୍ରଚାର କରିଥିଲେ । ରାଣୀ ପଣ୍ଡା ରିକ୍ସାରେ ବେଣୁଧରଙ୍କୁ ବସାଇ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ବେଣୁଧରଙ୍କୁ ଏକ ସାଇକେଲ୍ ମଧ୍ୟ ଦେଇଛନ୍ତି ରାଣୀ ପଣ୍ଡା । ଏପରିକି ନିର୍ବାଚନ ପରେ ଏକ ସେଲୁନ ମଧ୍ୟ ଖୋଲିବା ନେଇ ରାଣୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ବେଣୁଧରଙ୍କ ପାଇଁ ପ୍ରଚାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.