ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପ୍ରସଂଗ: ଲୁଚକାଳି ଖେଳୁଛନ୍ତି ଅଭିଜିତ୍ ଆୟାର ମିତ୍ର, କାଲି ଗୃହ କମିଟିରେ ହାଜର ହେବେତ?
Published By : Prameya-News7 Bureau | October 22, 2018 IST
ଭୁବନେଶ୍ବର ୨୨|୧୦: ଲୁଚକାଳି ଖେଳୁଛନ୍ତି ଅଭିଜିତ୍ ଆୟାର ମିତ୍ର । କୋଣାର୍କ ମନ୍ଦିର ଓ ଓଡିଶାର ସଂସ୍କୃତି ଉପରେ ଅଭିଜିତ୍ ଆୟାର ମିତ୍ର ଯେଉଁ ଅଶାଳିନ ଟିପ୍ପଣି ଦେଇଥିଲେ ତା ଉପରେ ସିନା ଭୁଲ ମାଗୁଛନ୍ତି କିନ୍ତୁ ଧରାଛୁଆଁ ଦେଉ ନାହାଁନ୍ତି । କଥା ସେତିକିରେ ଅଟକିନି । ଓଡିଶା ପୋଲିସ କାହିଁକି ହାତ ବାନ୍ଧି ବସିଛି ତାହା ବି ବଡ ପ୍ରଶ୍ନ ହୋଇ ଉଭା ହେଲାଣି । ବିଧାନସଭା ଚାଲିଥିବା ବେଳେ ବିଜେଡି ନେତାଏ ତ ବେଶ ତମ୍ବି ତୋଫାନ କରି ଗୃହ ବନ୍ଦ କରିଦେଲେ । କିନ୍ତୁ ନିଜ ଦଳର ସରକାର ଥାଇ କାହିଁକି ଏ କେସ୍ ଆଗକୁ ବଢୁନି ତାହା ଏବେ ବି ସସପେନ୍ସ ଘେରରେ । ପୋଲିସି ସେତେଭେଳେ ଯେମିତି ଟାଣପଣ ଦେଖାଉଥିଲା ତାହା ଆଉ ନାହିଁ । ବୋଧହୁଏ ଏହାପଛରେ କିଛି ରହସ୍ୟ ଲୁଚି ରହିଛି ।
ଆସନ୍ତା କାଲି ଅର୍ଥାତ ୨୩ ଅକ୍ଟୋବରରେ ଅଭିଜିତ୍ ଆୟାର ମିତ୍ର ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ବୋଲି କମିଟି ଆଗରୁ ନିର୍ଦେଶ ଦେଇସାରିଛି । କମିଟି ଆଗରେ କାଲି ହାଜର କରିବାକୁ ପୋଲିସ ଡିଜିଙ୍କୁ ବି କୁହାଯାଇଛି । ତିତିଲି ବାତ୍ୟା ପାଇଁ ଆୟାର ପ୍ରଥମ ତାରିଖରେ ଆସିନଥିଲେ ବୋଲି କୁହାଯାଇଥିଲା । କିନ୍ତୁ କାଲି ସେ ହାଜର ହେବେ ନା ନାହିଁ ତାହା ଏବେ ବି ସନ୍ଦେହରେ ଅଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଗଲାଣି । ବିଜେଡିର ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି ।
ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇଁ ଯାଇଥିଲେ ଅଭିଜିତ୍ ଆୟାର ମିତ୍ର । ନିଜ ସୁରକ୍ଷା କଥା ବି ଉଠାଇଥିଲେ । ହେଲେ ତାଙ୍କ ପାଇଁ ଜେଲ୍ ସୁରକ୍ଷିତ ଜାଗା ବୋଲି ଖୋଦ୍ ସୁପ୍ରିମ କୋର୍ଟ କହିବା ପରେ ପୁରାପୁରି ଥଣ୍ଡା ପଡିଯାଇଥିଲେ ଅଭିଜିତ୍ ଆୟାର ମିତ୍ର । ସେଥିପାଇଂ ଏବେ ବାରମ୍ବାର ସରି ମାଗି ଚାଲିଛନ୍ତି ।