ଗୃହ କମିଟିରେ ହାଜର ହେଲେନି ଆୟର ; ଇମେଲ୍ ଯୋଗେ ମାଗିଲେ କ୍ଷମା ଓ ସମୟ, ୨୩ ତାରିଖରେ ହାଜର ପାଇଁ ଗୃହ କମିଟି ଦେଲା ସମୟ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ବିଧାନସଭା ଗୃହ କମିଟି ଆଗରେ ହାଜର ହେଲେନି ଅଭିଜିତ ଆୟର ମିତ୍ର । ଓଡିଶା ଏବଂ ଓଡିଶାର ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଆସିଥିବା ସ୍ବାଧିକାର ଭଙ୍ଗ ପାଇଁ ଆଜି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପାଇଁ ତାଙ୍କୁ ନୋଟିସ୍ ହୋଇଥିଲା । ତେବେ ବାତ୍ୟା ତିତଲି ଯୋଗୁଁ ବିମାନ ସେବା ଓ ରେଳ ସେବା ପ୍ରଭାବିତ ହୋଇଥିବାରୁ ସେ ଇମେଲ ଯୋଗେ ଗୃହ କମିଟିକୁ ସମୟ ମାଗିଥିଲେ । କମିଟି ଅଭିଜିତଙ୍କୁ ଆସନ୍ତା ୨୩ତାରିଖରେ ହାଜର ହେବା ପାଇଁ ସମୟ ଦେଇଛି । ଆଜି ବିଧାନସଭାର ଏ ସଂପର୍କିତ ଗୃହ କମିଟି ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ସମ୍ମିଳନୀ କକ୍ଷରେ ବସିଥିଲା । ବୈଠକରେ କମିଟିର ଅନ୍ୟ ୬ଜଣ ମଧ୍ୟ ଉପସ୍ଥିତ ଥିଲେ । ତେବେ ନିର୍ଦ୍ଧାରିତ ସମୟ ଦିନ ୧୧ଟା ବେଳେ ଆୟର କମିଟିରେ ହାଜର ହୋଇନଥିଲେ । ପରେ ସେ ଇମେଲ ଯୋଗେ ସମୟ ମାଗିଥିବା ଜଣାପଡିଥିଲା । ସୂଚନା ଯୋଗ୍ୟ ଯେ, କୋଣାର୍କ, ଶ୍ରୀମନ୍ଦିର, ଓଡିଶା ଏବଂ ଓଡିଶାର ବିଧାୟକଙ୍କ ସଂପର୍କରେ  ଆୟର ତାଙ୍କ ଟ୍ବିଟରରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ଗତ ମାସ ୧୫ତାରିଖରେ ଏକ ଟ୍ବିଟ୍ ରେ ସେ ଭିଡିଓ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ କହିଥିଲେ ଯେ, କୋଣାର୍କର ନଗ୍ନ ମୂର୍ତ୍ତି ହିନ୍ଦୁ ପରମ୍ପରା ବିରୋଧୀ । ହିନ୍ଦୁ ଧର୍ମକୁ କଦର୍ଥ କରିବା ପାଇଁ ମୁସଲମାନମାନଙ୍କ ପ୍ରଭାବରେ ଏଭଳି ମୂର୍ତ୍ତି ତିଆରି ହୋଇଛି । ତେବେ ରାମମନ୍ଦିର ନିର୍ମାଣ ବେଳେ ସେଠାରେ ଏମିତି ମୂର୍ତ୍ତି ରହିବନାହିଁ । ଏହି ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସୂଚନା ଯୋଗ୍ୟ ଯେ, ଆୟର ଭିଡିଓ ଅପଲୋଡ୍ କରିବା ପୂର୍ବ ଦିନ ସେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଆଉଜଣେ ମହିଳା ରୀତା ସିଂଙ୍କ ସହ ହେଲିକପ୍ଟର ଯୋଗେ ପୁରୀ, କୋଣାର୍କ ଏବଂ ଚିଲିକା ଉପରେ ଉଡିଥିଲେ । ଚିଲିକା ନିକଟରେ ହେଲିକପ୍ଟର ଚିଲିକା ପାଣିର ଅତି ନିକଟକୁ ଆସିଥିଲା ବୋଲି ଅଭିଯୋଗ ହୋଇଥିଲା । ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ଆୟରଙ୍କ କୋଣାର୍କ ମନ୍ତବ୍ୟକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ବର୍ଷେ ତଳେ ସେ ଓଡିଶା ସଂପର୍କରେ କରିଥିବା ଏକ ଟ୍ବିଟ୍ ସାମ୍ନାକୁ ଆସିଥିଲା । ଏଥିରେ ସେ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀକରି ଆଣିଛନ୍ତି ବୋଲି ଦର୍ଶାଇଥିଲେ । ସେହିଭଳି ଓଡିଶା ବୋଲି କୌଣସି ନିର୍ଦ୍ଧିଷ୍ଟ ରାଜ୍ୟ ନଥିଲା । ଏହା ପଶ୍ଚିମବଙ୍ଗର ଦକ୍ଷିଣରେ ଥିବା ଆଦିବାସୀ ଅଧ୍ୟୁସିତ ବନାଞ୍ଚଳ ଥିଲା ବୋଲି କହିଥିଲେ । ଓଡିଶା ଶବ୍ଦର ଉତ୍ପତି ସଂପର୍କରେ ମଧ୍ୟ ସେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବଙ୍ଗାଳୀମାନେ ଡାକୁଥିବା ଓରି-ଶାଲାରୁ ଓଡିଶାର ଉତ୍ପତି ବୋଲି ସେ କହିଥିଲେ । ଏହାକୁ ନେଇ  ଓଡିଶାରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏପରିକି ବିଧାନସଭାରେ ମଧ୍ୟ କିଛି ବିଧାୟକ ପ୍ରସଙ୍ଗ ଉଠାଇଥିଲେ । ଠିକ୍ ଏହି ସମୟରେ ନ୍ୟୁଜ୍ ସେଭେନ ଦିଲ୍ଲୀଠାରେ ଅଭିଜିତ ଆୟରଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲା । ଏହି ସାକ୍ଷାତକାରରେ ଅଭିଜିତ ଓଡିଶା ବିଧାୟକମାନଙ୍କୁ ବୁଦ୍ଦୁ ବୋଲି କହିଥିଲେ । ବିଧାନସଭାର କ୍ଷମତାକୁ ଚ୍ୟାଲେଞ୍ଜ କରି ଗିରଫ କରି ଦେଖାଅ ବୋଲି ଅହଂକାର ସହିତ କହିଥିଲେ । ଅଭିଜିତଙ୍କ ଏହି ସାକ୍ଷାତକାର ପ୍ରସାରଣ ପରେ ବିଧାନସଭାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିରୋଧୀଦଳ ନେତା ନରସଂହ ମିଶ୍ର ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ । ବିଧାନସଭାରେ ଦଳମତ ନିର୍ବିଶେଷରେ ସମସ୍ତେ ଆୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଫଳରେ ବିଧାନସଭା ଗୃହ କମିଟି ଗଠନ ହୋଇଥିଲା । ସୂଚନାଯୋଗ୍ୟ ଯେ, ଆୟରଙ୍କ ବିରୋଧରେ କୋଣାର୍କ ଥାନାରେ ଦାୟର ଏକ ମାମଲାରେ ପୁରୀ ପୋଲିସ ଆୟରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । ପରେ ତାଙ୍କୁ ଦିଲ୍ଲୀ ସାକେତ୍ ସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଆୟରଙ୍କୁ ସେପ୍ଟେମ୍ବର ୨୮ତାରିଖ ପର୍ଯ୍ୟନ୍ତ  ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆୟର ସୁପ୍ରିମକୋର୍ଟଙ୍କ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ପୁର୍ନବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଅକ୍ଟୋବର ୫ତାରିଖରେ କୋଣାର୍କ ପୋଲିସ ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆୟର ଚାହିଁଲେ ତାଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଅକ୍ଟୋବର ୫ତାରିଖରେ ସୁପ୍ରିମକୋର୍ଟରେ ଆୟରଙ୍କ ପ୍ରସଙ୍ଗ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଆୟରଙ୍କୁ ଏଭଳି ମନ୍ତବ୍ୟ ପାଇଁ ଭର୍ସନା କରିବା ସହ ତାଙ୍କ ପାଇଁ ଉଚିତ୍ ସ୍ଥାନ ଜେଲ୍ ବୋଲି କହିଥିଲେ । ତଳ କୋର୍ଟର ନିର୍ଦ୍ଦେଶ ଅନୁସାରେ କୋଣାର୍କ ପୋଲିସ ନିକଟରେ ହାଜର ହେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.