ନ୍ୟୁଜ୍-୭ରେ ସାକ୍ଷାତକାର ବେଳେ ବାଚାଳାମିର ସୀମା ଟପିବା ମହଙ୍ଗା ପଡିଲା ଅଭିଜିତଙ୍କୁ
Published By : Prameya-News7 Bureau | September 20, 2018 IST
ଭୁବନେଶ୍ବର ୨୦|୯: ନିଜ ମନ୍ତବ୍ୟ ମାଧ୍ୟମରେ ବାରମ୍ବାର ଚ୍ୟାଲେଞ୍ଜ ଦେଉଥିଲେ ଅଭିଜିତ୍ ଆୟାର । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେଉଥିବା ଜାଣି ସୁଦ୍ଧା ତିଳେ ମାତ୍ର ବିଚଳିତ ବି ନଥିଲେ ବରଂ ବାଚାଳାମି ଜାରି ରଖିଥିଲେ । ନ୍ୟୁଜ ସେଭେନର ଏକ ଇଣ୍ଟରଭ୍ୟୁରେ ହିଁ ଆହୁରି ତଳକୁ ଖସିଯାଇଥିଲେ। ଯାହା ହିଁ ତାଙ୍କୁ ବନ୍ଧା ହେବା ପାଇଁ ଯଥେଷ୍ଟ ଥିଲା।
ମୁହଁର ଫୁଟାଣି ବଢ଼ି ବଢ଼ି ଚାଲିଥିଲା । କହୁଥିଲେ ଦମ ଥିଲେ ଗିରଫ କର । ବିଧାୟକମାନଙ୍କୁ ବୁଦ୍ଦୁ କହିଲେ । ମୁଁ ଦୁଃଖ କାହିଁକି ପ୍ରକାଶ କରିବି। କୋର୍ଟ ହିଁ ମୋତେ କହିବ ମୁଁ ଭୁଲ କି ଠିକ୍ । ନିଜ ସୋସିଆଲ ମିଡିଆରେ ବାରମ୍ବାର ଅଶାଳିନ ମନ୍ତବ୍ୟ ଦେଉଥିବା ଅଭିଜିତ ଧିରେ ଧିରେ ନିଜର ଔଦ୍ଧତ୍ୟ ଦେଖାଇବାରେ ଲାଗୁଥିଲେ। ଅଶାଳୀନରୁ ଅଶ୍ଳୀଳ ହେବାରେ ଲାଗିଥିଲେ । ଆଉ ଦିଲ୍ଲୀରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସବନମ ଆଦେନି। ନ୍ୟୁଜ ସେଭେନର ଏହି କଥାବାର୍ତ୍ତାରେ ମଧ୍ୟ ସେ ସେହି ଆନ୍ଦାଜ ଜାରି ରଖିଥିଲେ। ମୌଳିକ ଅଧିକାର ନାଁରେ ସେ କିଛି ବି କହିପାରିବେ। ଏ ଅଧିକାର ତାଙ୍କୁ ସମ୍ବିଧାନ ଦେଇଛି ବୋଲି ବଖାଣିଥିଲେ।। ସତେ ଯେମିତି ସେ ନିଶ୍ଚିତ ଥିଲେ ତାଙ୍କର କେହି କିଛି କରିପାରିବେନି। ଆଉ ନ୍ୟୁଜ ସେଭେନରେ ତାଙ୍କର ଏହି ତେୱର ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ରାଜ୍ୟବାସୀ। ଏପରିକି ନ୍ୟୁଜ୍ ସେଭେନର ଏଡ଼ିଟୋରିଆଲ ବୁଲେଟିନରେ ବଡ଼ ଖବରରେ ଏନେଇ ଏଡ଼ିଟର ସ୍ପଷ୍ଟ କହିଥିଲେ। ଯେ ଅଭିଜିତ ଯାହା କହିଛନ୍ତି ତାହା ଅକ୍ଷମଣୀୟ, ବିଧାନସଭା ଚାଲୁଥିବା ବେଳେ ବିଧାୟକଙ୍କୁ ବୁଦ୍ଦୁ କହୁଥିବା ବ୍ୟକ୍ତି ଯେ ଆଇନ ପଞ୍ଝାକୁ ଆସିବେ ତାହାହିଁ ସ୍ପଷ୍ଟ ଅନୁମାନ କରାଯାଉଥିଲା।
ବିଲ୍କୁଲ ସେୟା ହିଁ ହୋଇଥିଲା। ପର ଦିନ ବିଧାନସଭାରେ ନ୍ୟୁଜ ସେଭେନର ଖବର ଏବଂ ଦୈନିକ ପ୍ରମେୟର ଖବରକୁ ଉଦ୍ଧାର କରି ସଦସ୍ୟମାନେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ। ଆଉ ସେପଟେ ଦିଲ୍ଲୀରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଯଦିଓ କୋର୍ଟ ତାଙ୍କୁ ଜାମିନରେ ଛାଡ଼ିଛନ୍ତି କିନ୍ତୁ ମୁଁ ସବୁଠି ଏମିତି କହେ ଏ ତେୱର ଯେ ଅଭିଜିତଙ୍କ ଛାଡ଼ିଯାଇଥିବ ନିଶ୍ଚୟ।