ବିସିସିଆଇଙ୍କୁ ପାକ୍ କ୍ରିକେଟରଙ୍କ ଚାଲେଞ୍ଜ, ୨ ସପ୍ତାହ ଦିଅ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କରିଦେବେ ବିଶ୍ୱର ୧ ନମ୍ବର ଅଲରାଉଣ୍ଡର
28/06/2019 at 7:15 PM

ପାକିସ୍ତାନୀ କ୍ରିକେଟର ଅବଦୁଲ ରଜ୍ଜାକ୍ ଙ୍କ ଟ୍ୱିଟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମାତ୍ର ୨ ସପ୍ତାହରେ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରରେ ପରିଣତ କରିପାରିବେ ବୋଲି ବିସିସିଆଇଙ୍କୁ ପ୍ରସ୍ତାବ ଦେଇଛନ୍ତି। ରଜ୍ଜାକଙ୍କ ଏହି ଭିଡିଓକୁ ପାକ୍ ସାମ୍ବାଦିକ ସାଜ ସାଦ୍ଦିକ ତାଙ୍କ ଆକାଉଣ୍ଟରେ ସେୟାର କରିବା ପରେ ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି।
Abdul Razzaq "give me 2 weeks and I will make Hardik Pandya the world's best all-rounder" #Cricket pic.twitter.com/o3eIt69nfN
— Saj Sadiq (@Saj_PakPassion) June 27, 2019
ଆଇସିସି ବିଶ୍ୱକପ୍ ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। କୋହଲୀଙ୍କ ଟିମରେ ପ୍ରତ୍ୟେକ ଖେଳାଳି ନିଜନିଜ ଦାୟିତ୍ୱ ସଠିକ ନିର୍ବାହ କରୁଛନ୍ତି। ମିଡିଲ ଅର୍ଡରରେ ଖେଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ କ୍ରମରେ ଟିମକୁ ବେଶ ମଜଭୁତ ରଖିଛନ୍ତି। ତେବେ ଟିମ୍ ଇଣ୍ଡିଆର ହିଟରମାନଙ୍କ ମଧ୍ୟରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ରିକେଟ ସିଖାଇବା ପାଇଁ ରଜ୍ଜାକ ବିସିସିଆଇଙ୍କୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ଯଦି ମାତ୍ର ୨ ସପ୍ତାହ ସମୟ ଦିଆଯାଏ ତେବେ ପାଣ୍ଡ୍ୟାଙ୍କୁ ସେ ବିଶ୍ୱର ୧ ନମ୍ବକ ଅଲରାଉଣ୍ଡରରେ ପରିଣତ କରିପାରିବେ ବୋଲି କହିଛନ୍ତି।

ନିକଟରେ ଅନୁଷ୍ଠିତ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ରେ ସେ ପ୍ରଥମ ଥର ପାଣ୍ଡ୍ୟାଙ୍କ ଖେଳକୁ ଖୁବ୍ ନିକଟରୁ ଦେଖିଥିଲେ ବୋଲି କହିଛନ୍ତି। ତେବେ ଖେଳିବା ବେଳେ ସେ ଅନେକ ଭୁଲ କରୁଥିବା ଦେଖିଛନ୍ତି। ଯେପରିକି ହାର୍ଦ୍ଦିକ ହିଟ୍ କରିବା ବେଳେ ତାଙ୍କ ପାଦର ପରିଚାଳନା ସାଙ୍ଗକୁ ଶରୀରର ସନ୍ତୁଳନ ଠିକ ରହୁନଥିବା ରଜ୍ଜାକ ଉଲ୍ଲେଖ କରିଛନ୍ତି । ଯଦି ଦୁବାଇରେ ତାଙ୍କ ସହ ମୋତେ ୨ ସପ୍ତାହ କାମ କରିବାକୁ ଦିଆଯାଏ ତେବେ ତାଙ୍କୁ ବିଶ୍ୱର ସବୁଠାରୁ ବଢିଆ ଅଲରାଉଣ୍ଡରରେ ପରିଣତ କରିବାର ମୋତେ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ରଜ୍ଜାକ। ଯଦି ବିସିସିଆଇ ଚାହାନ୍ତି ପାଣ୍ଡ୍ୟାଙ୍କର ଖେଳରେ ସୁଧାର ଆସୁ ତେବେ ଏଥି ପାଇଁ ସେ କାମ କରିବାକୁ ଆଗ୍ରହୀ ଥିବା କହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପାଣ୍ଡ୍ୟା ୩୮ ବଲରେ ୫ ଚୌକା ସମେତ ମୋଟ ୪୬ ରନ କରିଥିଲେ। ମ୍ୟାଚ୍ ରେ ତାଙ୍କ ଷ୍ଟ୍ରାଇକ୍ ହାର୧୨୧.୦୫ ଥିଲା।