ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ

Published By : Prameya-News7 Bureau | May 24, 2018 IST

ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ । କ୍ରିକେଟ୍ ଫ୍ୟାନଙ୍କ ପାଇଁ ମିଷ୍ଟର ୩୬୦ ଡିଗ୍ରୀ ନାମରେ ପରିଚିତ ଡିଭିଲିୟର୍ସ ବୁଧବାର ଅର୍ନ୍ତଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଡିଭିଲିୟର୍ସଙ୍କ ଏଭଲି ନିଷ୍ପତି କ୍ରିକେଟପ୍ରେମୀ ଚକିତ କରିଛି । ତେବେ ଏଭଳି ନିଷ୍ପତ୍ତି ନେବା ତାଙ୍କ ପକ୍ଷେ ବେଶ କଠିନ ଥିଲା ବୋଲି କହିଛନ୍ତି ଏବି । ୩୪ ବର୍ଷୀୟ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପକ୍ଷରୁ ମୋଟ ୧୧୪ଟି ଟେଷ୍ଟ ମ୍ୟାଚ ଓ ୨୨୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୧୧୪ ଟେଷ୍ଟରୁ ୨୨ ଶତକ ୪୬ ଅରଦ୍ଧଶତକ ସହ ୮୭୬୫ ରନ୍ । ୨୨୮ ଦିନିକିଆରୁ ୨୫ଟି ଶତକ ଓ ୫୩ ଟି ଅର୍ଦ୍ଧଶତକ ସହ ୯୫୭୭ ରନ୍ କରିଛନ୍ତି । ସେହିଭଳି ଜଣେ ଟି-୨୦ ସ୍ପେଶାଲିଷ୍ଟ ଭାବେ ୭୮ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଟି-ଟ୍ବେଣ୍ଟିରେ ସେ ୧୬୭୨ ରନ୍ କରିଛନ୍ତି । ୧୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ଼ ହାସଲ କରିଛନ୍ତି ଡିଭିଲିୟର୍ସ । ଡିଭିଲିୟର୍ସ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ ମାତ୍ର ୧୬ ବଲରେ କରିଥିବା ବେଳେ ବେଳେ ଦ୍ରୁତତମ ଶତକ ମାତ୍ର ୩୧ ବଲରେ କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିଭିଲିୟର୍ସ ଖେଳୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଷ୍ଟାଇଲ ପାଇଁ ବିଶ୍ୱର ପ୍ରତି ଦେଶରେ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି । ଆଇପିଏଲ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି ଡିଭିଲିୟର୍ସ । କ୍ରିକେଟ ପଡ଼ିଆରେ ନୂଆ ନୂଆ ସଟ ଆବିଷ୍କାର କରିଥିବା ଡିଭିଲିୟର୍ସଙ୍କ ଏଭଳି ନିଷ୍ପତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଫ୍ୟାନ । ଡିଭିଲିୟର୍ସ ନିଜର ଅଫିସିଆଲ ଆପରେ ଅବସର ଘୋଷଣା କରିବା ସହ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ଼ ଓ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି, ସନ୍ନ୍ୟାସ ନେବା ପାଇଁ ଏହା ହେଉଛି ଠିକ୍ ସମୟ ଏବଂ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବା ପାଇଁ ସେ ଏପରି ନିଷ୍ପତି ନେଇଛନ୍ତି । ତେବେ ସେ ଘରୋଇ କ୍ରିକେଟ ଖେଳିବା ଜାରି ରିଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.