ସହାରନପୁରର ଆସ୍ଥା ଶର୍ମା କଲେ ଗିନିଜ ବୁକ୍ ଅଫ ଓ୍ବାଲର୍ଡ଼ ରେକର୍ଡ଼
2/02/2020 at 12:04 PM

ସହାରନପୁର ୨/୨: ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାରେ ରହୁଥିବା ଆସ୍ଥା ଶର୍ମା ନିଜ ଗାୟନ ଶୈଳୀରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ଏବେ ଗିନିଜ ବୁକ୍ ଅଫ ଓ୍ବାଲର୍ଡ଼ ରେକର୍ଡ଼ରେ ତାଙ୍କ ନାଁ ସ୍ଥାନ ପାଇଛି। ସହାରନପୁରର ଆବାସ ବିକାଶ କଲୋନୀ ବାସିନ୍ଦା କମଲ ଶର୍ମାଙ୍କ ଝିଅ ଆସ୍ଥା ଶର୍ମା ମୁମ୍ବାଇରେ ଆୟୋଜିତ ଆଜାଦ ହିନ୍ଦ ଫୌଜର ଶହିଦଙ୍କ ଉପରେ ଗୀତ ଗାଇଥିଲେ ଯାହା ଫଳରେ ତାଙ୍କୁ ଏହି ଉପଲବ୍ଧି ହାସଲ ହୋଇଛି।

ଫିଲ୍ମ ନିର୍ମାତା କବୀର ଖାନ୍ ନିଜ ଓ୍ବେବ୍ ସିରିଜ ‘ଦ ଫରଗଟନ୍ ଆର୍ମି’ ଯୋଗୁଁ ଆଜାଦ ହିନ୍ଦ ଫୌଜର ଶହିଦଙ୍କ ପାଇଁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏଠାରେ ଦେଶବ୍ୟାପି ୧୦୪୬ଗାୟକ ଏବଂ ସଙ୍ଗୀତକାର ଗୀତ ଗାଇଥିଲେ। ଏଥିରେ ସହାରନପୁରର ଆସ୍ଥା ଶର୍ମା ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ।

ପିଲାଦିନୁ ଆସ୍ଥାଙ୍କ ସଙ୍ଗୀତ ପ୍ରତି ରୁଚି ରହିଥିଲା। ଏଠାରେ ଅନେକ କାର୍ଯ୍ୟକ୍ରମରେ ପିଲାଦିନୁ ହିଁ ଆସ୍ଥା ଗୀତ ମାଧ୍ୟମରେ ନିଜ କଳା ପ୍ରଦର୍ଶନ କରି ସାରିଛନ୍ତି। ଏଠାରେ ପାଇନଉଡ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢ଼ିବା ପରେ ଆସ୍ଥା ମୁମ୍ବାଇ ଚାଲିଯାଇଥିଲେ ଏବଂ ସେଠାରେ ବିଧିରେ ସ୍ନାତକ କରିବା ପରେ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ବିଧିରେ ସ୍ନାତକୋତ୍ତର କରିଥିଲେ।

ଆସ୍ଥା ଷ୍ଟାରପ୍ଲସର ଏକ କାର୍ଯ୍ୟକ୍ରମରେ ବିଜେତା ହୋଇ ଏକ ଲକ୍ଷ ଟଙ୍କା ପୁରସ୍କାର ଜିତିଥିଲେ। ହାସ୍ୟ ଧାରାବାହିକ କପିଲ ଶର୍ମା ଶୋ ରେ ମଧ୍ୟ ସେ ୩ଥର ଆସି ସାରିଛନ୍ତି।