ଅଭାବୀଙ୍କୁ ଗୋଟିଏ କିଲୋ ଅଟା ସହ ୧୫ ହଜାର ଟଙ୍କା କିଏ ଦେଇଥିଲା ? ଟ୍ୱିଟ କରି ଅମୀର କହିଲେ...

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୦୪/୦୫ : ବଲିଉଡର ଆଗ ଧାଡିର ଅଭିନେତା ଅମୀର ଖାନଙ୍କୁ ନେଇ ଏକ ଟିକଟକ ଭିଡ଼ିଓ ଭାଇରାଲ ହୋଇଛି | ଭିଡିଓ ମାଧ୍ୟମରେ ଦାବି କରାଯାଇଛି ଯେ କରୋନା ଭାଇରସ ଲଢେଇ ମଧ୍ୟରେ ଅମୀର ଖାନ ଗରିବ ସହାୟତା ପ୍ରଦାନ କରିଛନ୍ତି | ସେ ଲୋକଙ୍କୁ ଗୋଟିଏ କିଲୋ ଅଟା ପ୍ୟାକେଟରେ ୧୫ ହଜାର ଟଙ୍କା ଲେଖାଏଁ ବାଣ୍ଟିଥିଲେ | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ବର୍ତ୍ତମାନ ଏହି ଭିଡିଓକୁ ନେଇ ଅମୀର ଖାନ ସାମ୍ନାକୁ ଆସିଛନ୍ତି | ସେ ଏହି ଭିଡିଓର ସତ୍ୟତା ପ୍ରକାଶ କରିଛନ୍ତି | ଏକ ଟ୍ୱିଟ ଜରିଆରେ ସେ ଏହାର ସତ୍ୟତା ସାମ୍ନାକୁ ଆଣିଛନ୍ତି |


ଅମୀର ଖାନ ଟ୍ୱିଟରେ ଲେଖିଛନ୍ତି, "ବନ୍ଧୁ, ଅଟା ପ୍ୟାକେଟରେ ଟଙ୍କା ପୁରାଇ ବାଣ୍ଟିଥିବା ବ୍ୟକ୍ତି ମୁଁ ନୁହେଁ | ଏହା ନିଶ୍ଚୟ ଏକ ମିଛ କାହାଣୀ ହୋଇଥିବା ଅଥବା ସେ ନିଶ୍ଚୟ କେହି ରବୀନ ହୁଡ଼ ହୋଇଥିବ ଯିଏ ନିଜର ପରିଚୟ ଦେଉନାହିଁ, ଗୁପ୍ତ ରଖିଛି | ସୁରକ୍ଷିତ ରୁହନ୍ତୁ |"


ଅମୀର ଖାନଙ୍କ ଏହି ଟ୍ୱିଟରୁ ପ୍ରମାଣିତ ହୋଇଯାଇଛି ଯେ, ଅଟା ପ୍ୟାକେଟରେ ଟଙ୍କା ପୁରାଇ ଅମୀର ଖାନ ବାଣ୍ଟି ନଥିଲେ |ସୂଚନାଯୋଗ୍ୟ ଯେ, ଟିକଟକରେ ଜଣେ ଏଙ୍କର ଏହି ଭିଡିଓ ତିଆରି କରିଥିଲେ | ସେ ଦାବି କରି କହିଥିଲେ ଯେ ଅମୀର ଖାନ ଅଭାବୀଙ୍କ ସହାୟତା ପାଇଁ ଗୋଟିଏ ଟ୍ରକ ଭର୍ତ୍ତି ଗହମ ଓ ଅଟା ପଠାଇଛନ୍ତି | ଏହି ଟ୍ରକ ଏପ୍ରିଲ ୨୩ ତାରିଖରେ ଦିଲ୍ଲୀର ଏକ ପଛୁଆ ଅଞ୍ଚଳରେ ପହଞ୍ଚିଥିଲା | ଟ୍ରକରେ ଗୋଟିଏ କିଲୋ ଲେଖାଏଁ ଅଟା ପ୍ୟାକେଟ ଭର୍ତ୍ତି ହୋଇ ରହିଥିଲା |


ଟ୍ରକ ଯେତେବେଳେ ସେହି ଅଞ୍ଚଳରେ ପହଞ୍ଚିଥିଲା ଅନେକ ଲୋକ ଅଟା ନେବାକୁ ଅସ୍ବୀକାର କରି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା | କାରଣ କିଛି ପରିବାର ଭାବିଥିଲେ ଗୋଟିଏ କିଲୋ ଅଟା ତାଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ | ଭିଡିଓରେ ଆହୁରି ଦେଖିବାକୁ ମିଳିଥିଲା ଯେ, ଯେଉଁମାନେ ଅଟା ପ୍ୟାକେଟ ନେଇ ଖୋଲିଥିଲେ ସେଥିରୁ ଟଙ୍କା ପାଇ ଆଶ୍ଚର୍ଯ୍ୟ ହେବା ସହ ଅତ୍ୟଂକ ଖୁସି ହୋଇଥିଲେ | ପ୍ରତ୍ୟେକ ଅଟା ପ୍ୟାକେଟରେ ୧୫ ହଜାର ଟଙ୍କା ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.