ମୁମ୍ବାଇରେ ଚାଲିଛି ଓଡ଼ିଶାର କଳା, ସଂସ୍କୃତିର ମହାକୁମ୍ଭ ‘ଆମ ଉତ୍କର୍ଷ ଓଡ଼ିଶା’

Published By : Prameya-News7 Bureau | February 24, 2019 IST

ମୁମ୍ବାଇ ୨୪|୨: ମୁମ୍ବାଇ ମହାନଗରୀରେ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଥିଲେ ‘ଓଡ଼ିଶା କହିଲେ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥ କହିଲେ ଓଡ଼ିଶା । ଜଗନ୍ନାଥ ହିଁ ଆମ ପ୍ରାଣର-ପ୍ରତିମା ଏବଂ ପରିଚୟ । ଜଗନ୍ନାଥ ଓଡ଼ିଆମାନଙ୍କୁ ସହନଶୀଳତା, ଭାତୃଭାବ, ଅହିଂସା ଶିଖାଇଛନ୍ତି’ ।

{"id":88430}

ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାର ନେଇ ଶନିବାରଠାରୁ ଆରମ୍ଭ ହୋଇଛି ‘ଆମ ଉତ୍କର୍ଷ ଓଡ଼ିଶା’। ନଭି ମୁମ୍ବାଇର ସିଡକୋ ଗ୍ରାଉଣ୍ଡରେ ଫେବ୍ରୁଆରି ୨୪ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଓଡ଼ିଆମାନଙ୍କ ପକ୍ଷରୁ ଆୟୋଜନ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ।

{"id":88431}

ଝାଡ଼ଖଣ୍ଡ ରାଜ୍ୟପାଳ କହିଥିଲେ, ‘ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ବେଶ ପୋଷାକ ପାଇଁ ଓଡ଼ିଆମାନେ ଅନ୍ୟମାନଙ୍କଠାରୁ ନିଆରା । ତେଣୁ ମୁମ୍ବାଇରେ ବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ଓଡ଼ିଆ ଭାଷା, ସଂସ୍କୃତିର ଯେଉଁ ମହାକୁମ୍ଭ ସୃଷ୍ଟି କରିଛନ୍ତି ତାହା ଗର୍ବର ବିଷୟ । ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ଅହିଂସା ଏବଂ ଶାନ୍ତିର ବାର୍ତା ଦେଉଛି । ତେଣୁ ଆଜି ଆମେ ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁ ।

{"id":88432}

କାର୍ଯ୍ୟକ୍ରମ ଆରମ୍ଭରେ ମହାରାଷ୍ଟ୍ର ଓଡ଼ିଆ ୱେଲ ଫେୟାର ଆସୋସିଏସନର ସଭାପତି ତଥା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଭଗବାନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ମୁମ୍ବାଇର ବିଭିନ୍ନ ଓଡ଼ିଆ ସଙ୍ଗଠନ ଏକାଠି ହୋଇ ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

{"id":88433}

ଏହି ଅବସରରେ ୪ ଜଣ ବିଶିଷ୍ଟ ଓଡ଼ିଆଙ୍କୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ବଲିଉଡ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନାଲକୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପ୍ରବାସୀ ଶିଳ୍ପୋଦ୍ୟୋଗୀ ସଂଜୟ ଦାସ ।

{"id":88434}

ଉଦଘାଟନୀ ସମାରୋହରେ ଏକ ନ୍ୟୁଜଲେଟର ମଧ୍ୟ ପ୍ରକାଶିତ ହୋଇଥିଲା । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କ ପାଇଁ ଉଦଘାଟନୀ ସମାରୋହରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାସହ ବାଲୁକା କଳା ମାଧ୍ୟମରେ ମଧ୍ୟ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

{"id":88435}

ଏହି ଉତ୍ସବ ଅବସରରେ ୫ଟି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବଲିଉଡ୍ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ କୋଣାର୍କ ମନ୍ଦିର ଉପରେ ଆଧାରିତ ଫିଲ୍ମ 'ସୂର୍ଯ୍ୟ ମନ୍ଦିର', ନବକଳେବର ଉପରେ ଆଧାରିତ ଶିବୁ ପୃଷ୍ଟିଙ୍କ ନିର୍ଦ୍ଦେଶିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଫିଲ୍ମ "ଲଡ୍ ଅଫ୍ ଦ ୟୁନିଭର୍ସ', ବିଶ୍ୱରଞ୍ଜନ ରଥଙ୍କ ନିର୍ଦ୍ଦେଶିତ ଫିଲ୍ମ "କୋଟପାଡ଼ ଉଇଭିଙ୍ଗ୍', ସୁବାସ ସାହୁଙ୍କ "ସେବ ବୋଉ' ଏବଂ ହିମାଂଶୁ ଖଟୁଆଙ୍କ "କ୍ରାନ୍ତି ଧାରା' ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।

ମୁମ୍ବାଇ ଗସ୍ତରେ ଆସିଥିବା ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଖାରଘର ସେକ୍ଟର-୫ ଅଂଚଳରେ ଓଡ଼ିଆମାନେ ପ୍ରତିଷ୍ଠା କରିଥିବା ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ।

{"id":88436}

ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ତଥା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ୟୋକ୍ତା ଡକ୍ଟର ରବି ମିଶ୍ର ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁମ୍ବାଇରେ ଥିବା ଓଡ଼ିଆମାନେ କରୁଥିବା ବିଭିନ୍ନ ସମାଜସେବା କାମ ସଂପର୍କରେ ସେ ମଧ୍ୟ ସୂଚନା ଦେଇଥିଲେ ।

{"id":88437}

ଏହି ଅବସରରେ ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି, ଲୋକନୃତ୍ୟ, ଲୋକଗୀତ ମଧ୍ୟରେ ସଂକୀର୍ତନ, କଳାହାଣ୍ଡିର ଘୁମୁରା, ଗଞ୍ଜାମର ଯୋଡ଼ି ଶଂଖ, ବାଲୁକା କଳା, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ, ରଣପା ନୃତ୍ୟ, ଠିଆ ପୁଚି ନାରଙ୍ଗ, ସମ୍ବଲପୁରୀ ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଓଡ଼ିଶାରୁ ପ୍ରାୟ ଦେଢ଼ ଶହରୁ ଅଧିକ କଳାକାର ମୁମ୍ବାଇରେ ଅନୁଷ୍ଠିତ ଏହି ସାଂସ୍କୃତିକ ମହାକୁମ୍ଭରେ ସାମିଲ ହୋଇଛନ୍ତି । ଉଦଘାଟନୀ ସମାରୋହରେ ପାଇକ ବିଦ୍ରୋହ ଉପରେ ଏକ ନୃତ୍ୟ ନାଟିକା ମଧ୍ୟ ପରିବେଷଣ କରାଯାଇଥିଲା ।

ମୁମ୍ବାଇ ମହାନଗରୀରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଡୋରିରେ ବାନ୍ଧିବା ସହ ସ୍ଥାନୀୟ ଅନ୍ୟ ଭାଷାଭାଷୀ ଲୋକଙ୍କ ନିକଟରେ ଓଡ଼ିଶାକୁ ଉପସ୍ଥାପନ କରିବା ଲକ୍ଷ୍ୟରେ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.