କେଜ୍ରିୱାଲଙ୍କ ବଡ ଘୋଷଣା: ଆଗାମୀ ନିର୍ବାଚନରେ ଦେଶରେ ୬ଟି ରାଜ୍ୟରେ ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮/୦୧ : ଆମ ଆଦମୀ ପାର୍ଟିର ନ୍ୟାସନାଲ କାଉନସିଲ ବୈଠକରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି। ଆମ ଆଦମୀ ପାର୍ଟି ଆଗାମୀ ଦୁଇ ବର୍ଷରେ ଦେଶରେ ହେବାକୁଥିବା ସବୁ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଗୋଆରେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। କୃଷକ ଆନ୍ଦୋଳନ ଓ ଦିଲ୍ଲୀ ହିଂସାକୁ ନେଇ ମଧ୍ୟ କେଜ୍ରିୱାଲ ମୁହଁ ଖୋଲିଛନ୍ତି।

ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସ୍ଥିତି ମଜବୁତ କରିବା ପରେ ବର୍ତ୍ତମାନ କେଜ୍ରିୱାଲଙ୍କ ନଜର ଦେଶର ଅନ୍ୟ ରାଜ୍ୟମାନଙ୍କ ଉପରେ ରହିଛି। ସେ ନିଜ ଦଳ ନେତାଙ୍କୁ ଏଥିପାଇଁ ବିଭିନ୍ନ ଦାୟିତ୍ୱ ଦେବା ଆରମ୍ଭ କରିଛନ୍ତି। ରାଘବ ଚଡ୍ଡାଙ୍କୁ ପଞ୍ଜାବ, ଆତିଶି ମାର୍ଲିନାଙ୍କୁ ଗୁଜରାଟରେ ଦଳ ବିସ୍ତାର ଦାୟିତ୍ୱ ଦେଇଛନ୍ତି। ଦିଲ୍ଲୀରେ ବିଧାୟକ ଦୀନେଶ ମୋହନୀୟାଙ୍କୁ ଉତ୍ତରାଖଣ୍ଡ ଇନଚାର୍ଜ କରିଛନ୍ତି। ଏହିସବୁ ରାଜ୍ୟରେ ଆମ ଆଦମୀ ପାର୍ଟି ୨୦୨୨ରେ ନିର୍ବାଚନ ଲଢ଼ିବ।

ଗୁରୁବାର ଦିନ ଦଳର ନ୍ୟାସନାଲ କାଉନସିଲ ବୈଠକ ବସିଥିଲା। ବୈଠକରେ କେଜ୍ରିୱାଲ କହିଛନ୍ତି,"ଆପର ସୁଶାସନ ସମ୍ପର୍କରେ ସାରା ଦେଶରେ ଲୋକେ ଚର୍ଚ୍ଚା କରୁଛନ୍ତି। ଦେଶରେ ସବୁ ସ୍ଥାନରେ ଲୋକେ ଦିଲ୍ଲୀ ଭଳି ବିଜୁଳି, ପାଣି ସବସିଡି ଓ କଲ୍ୟାଣକାରୀ ଯୋଜନା ଚାହୁଁଛନ୍ତି। ସେଥିପାଇଁ ଆମେ ଦୂରତା କମ କରିବା ଆବଶ୍ୟକ। ଏଥିପାଇଁ ଆମକୁ ଏକ ମଜବୁତ ସଂଗଠନ ଗଢିବା ଆବଶ୍ୟକ। ଆଗାମୀ ଦୁଇ ବର୍ଷରେ ଆମ ଡାକ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜରାଟରେ ନିର୍ବାଚନ ଲଢ଼ିବ। ଲୋକେ ପ୍ରସ୍ତୁତ ଅଛନ୍ତି। ବାସ ଆମକୁ ଲୋକଙ୍କ ପାଖକୁ ପହଞ୍ଚିବାର ଅଛି।"

ଆଗକୁ ସେ କହିଛନ୍ତି,"ଗତ କିଛି ଦିନ ହେଲା ଦେଶର ଚାଷୀ ବହୁତ ଦୁଖୀ ଅଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଦେଶର ସାଢେ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି। ନୂଆ କୃଷି ଆଇନ ଜରିଆରେ ସରକାର କୃଷକଙ୍କ ଚାଷ ଛଡେଇ ନେଇ ପୁଞ୍ଜିପତିଙ୍କୁ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। କୃଷକଙ୍କ ବିରୋଧରେ ମିଛ ମାମଲା ରୁଜ୍ଜୁ ହେଉଛି। ଏହି ହିଂସା ଘଟଣା ପାଇଁ ଯେଉଁ ଦଳ ଦାୟୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସେଦିନ ଘଟିଥିବା ଘଟଣା ପରେ ଆନ୍ଦୋଳନ ଶେଷ ହୋଇନାହିଁ। ଆମେ ସବୁ ମିଶି କୃଷକଙ୍କୁ ଶାନ୍ତିପୂର୍ବକ ସମର୍ଥନ କରିବା ଉଚିତ।"

କେଜ୍ରିୱାଲ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରିଛନ୍ତି ଯେ କୃଷକ ଯେଉଁଠାରେ ନିଜ ଧ୍ବଜା ଓ ପଗଡି ଛାଡି ଯାଉଛନ୍ତି, ସେଠାରେ ସେମାନଙ୍କ ପାଖକୁ ସାଧାରଣ ଜନତା ହୋଇ ଯାଆନ୍ତୁ, ତାଙ୍କ କଥା ବୁଝାନ୍ତୁ କିନ୍ତୁ ସେଠାରେ ଯାଇ କୌଣସି ରାଜନୀତି କରନ୍ତୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.