ମାତ୍ର ୫୦୦ଟଙ୍କା ପାଇଁ ହତ୍ୟା : ବର୍ବରତା ଦେଖାଇବା ପାଇଁ ମୁହଁରେ ଗୁଳି ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | May 23, 2020 IST

ବାରାବଙ୍କି ୨୩/୫: ବାରାବଙ୍କି ଜିଲ୍ଲାରେ ୫୦୦ଟଙ୍କାର ନେଣଦେଣ ବିବାଦରେ ଲୋନି କଟରା ଥାନା ଅଞ୍ଚଳରେ ଏକ କ୍ଷେତରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି ମୁହଁରେ ବାଜିବାରୁ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକ ରାୟବରେଲି ଜିଲ୍ଲା ବାସିନ୍ଦା। ପୋଲିସ୍ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ମୃତକଙ୍କ ପତ୍ନୀଙ୍କ ଅଭିଯୋଗରେ ପୋଲିସ୍ ଯୁବକଙ୍କୁ ହତ୍ୟା କରିବା ମାମଲା ରୁଜୁ କରିଛି।

ରାୟବରେଲି ଜିଲ୍ଲାର ଶିବଗଡ଼ ଥାନାର ବହୁଦା ଗାଁ ବାସିନ୍ଦା ବେଦ ପ୍ରକାଶ(୪୦)ଙ୍କ ତାଙ୍କ ଘରଠୁ ୨କିଲୋମିଟର ଦୂର ଏକ କ୍ଷେତ ପାଖରେ ଗୁଳି କରି ନୃଶଂସ ଭାବେ ହତ୍ୟା କରି ଦିଆଯାଇଛି। ତାଙ୍କ ପିଠି ଏବଂ ମୁହଁରେ ଗୁଳି କରାଯାଇଛି। ଯାହା ଫଳରେ ତାଙ୍କ ମୁହଁଟି ପୂରାପୂରି ନଷ୍ଟ ହୋଇଯାଇଛି। ଶନିବାର ସକାଳେ ଶବ ମିଳିବାର ସୂଚନା ପାଇ ମୃତକଙ୍କ ଭାଇ ଅମିତ କୁମାର ଅନ୍ୟ ପରିବାର ଲୋକଙ୍କ ସହ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଚିହ୍ନିଥିଲେ। ଘଟଣାସ୍ଥଳର କିଛି ଦୂରରେ ତାଙ୍କ ବାଇକ୍ ମିଳିଥିଲା। ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି। ପୋଲିସ୍ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।

ମୃତକଙ୍କ ପତ୍ନୀ କହିଛନ୍ତି ଯେ ଶୁକ୍ରବାର ରାତିରେ ସେ ସ୍ବାମୀଙ୍କ ପାଇଁ ଖାଇବା ବାଢ଼ୁଥିବାବେଳେ ତାଙ୍କ ଫୋନ୍ ଆସିବାରୁ ସେ ବାଇକ୍ ଧରି ବାହାରି ଯାଇଥିଲେ। ସେ ତାଙ୍କୁ କେଉଁଠି ଯିବା ବିଷୟରେ ପଚାରିବାରୁ ସେ ଦିଲ୍ଲୀପ ରାଓ୍ବତ କରଜ ଟଙ୍କା ଦେବା ପାଇଁ ଡକାଇଥିବା କଥା କହିଥିଲେ। ଅଧ ଘଣ୍ଟା ପରେ ଫୋନ୍ କରିବାରୁ ସେ ଫୋନ୍ ରିସିଭ କରିନଥିଲେ। ଏହା ପରେ ଫୋନ୍ କରିବାରୁ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାରୁ ରାତିରେ ତାଙ୍କ ପତ୍ତା ମିଳିନଥିଲା।

ମୃତକଙ୍କ ପତ୍ନୀ ପୋଲିସକୁ କହିଥିଲେ ଯେ ତାଙ୍କ ସ୍ବାମୀ ଏବଂ ଦିଲୀପଙ୍କ ମଧ୍ୟରେ ୫୦୦ଟଙ୍କା ନେଣଦେଣର ବିବାଦ ଥିଲା। ପାଖାପାଖି ଦେଢ଼ ମାସ ତଳେ ଇଞ୍ଜିନ୍ ଚୋରି ମାମଲାରେ ଦିଲୀପ ତାଙ୍କ ସ୍ବାମୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଦିଲୀପ ତା’ର କେତେକ ସାଥୀ ସହ ମିଶି ତାଙ୍କ ହତ୍ୟା କରିଥିବାର ତାଙ୍କ ପତ୍ନୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.