Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭାବର ବୋଝ ଉପରେ କ୍ୟାନସର କଷ୍ଟ: ଯନ୍ତ୍ରଣାରେ ଛଟପଟ ଭେଣ୍ଡିଆ ପୁଅ ପାଇଁ ଅସହାୟ ବାପା-ମାଆ ଲୋଡିଲେ ସାହାଯ୍ୟ

27/08/2020 at 9:39 PM

ଜଗତସିଂହପୁର୨୭/୮: ଅଭାବୀ ପରିବାର ଉପରେ ଦାଉ ସାଧୁଛି ରୋଗ। କ୍ୟାନସର ପୀଡ଼ିତ ପୁଅର ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଯୋଉଠି ମୂଲ ମଜୁରୀ ଲାଗି ପେଟକୁ ଦାନା ଯୋଗାଡ଼ କରିବା ମୁସକିଲ୍‌ ହୋଇପଡ଼ୁଛି ସେଠି ଔଷଧ ଓ ଡାକ୍ତର ଡାକ୍ତରଖାନା କଥା ପଚାରେ କିଏ ? ତେଣୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ଜଗତସିଂହପୁର ସୋଗଲ ଗାଁର ବଳରାମ ଦାସଙ୍କ ପରିବାର ।

କ୍ୟାନସର ପୀଡ଼ିତ ଭେଣ୍ଡିଆ ପୁଅର ଦୁର୍ଦ୍ଦଶାକୁ ଦେଖି ବାହୁନି କାନ୍ଦୁଛି ମାଆ । ବୁଢ଼ା ବୟସରେ ମଜୁରୀ ଖଟି ପେଟକୁ ଦାନା ଯୋଗାଡ଼ କରିବାକୁ ବାଧ୍ୟ ହେଉଥିବା ବାପା ମୁଣ୍ଡରେ ପଡ଼ିଛି ଚଡ଼କ । ଯେଉଁ ପୁଅ ଦିନେ କାମ କରି ବୁଢ଼ା ବାପା ମାଆଙ୍କ ସାହାରା ହୋଇଥିଲା ସେ ଆଜି ସେମାନଙ୍କ ଆଖି ଆଗରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି । ଦେହ ନସହିଲେ ବି ଗରିବୀର ତାଡ଼ନା ସବୁ ସହିବାକୁ ବାଧ୍ୟ କରୁଛି । ଯୋଉଠି ପେଟ ପାଇଁ ଦି ମୁଠା ଦାନା ଯୋଗାଡ଼ ମୁସ୍କିଲ୍‌ ହୋଇପଡ଼ୁଛି ସେଠି ପୁଅର ଚିକିତ୍ସା ପାଇଁ ପୁଳା ପୁଳା ଟଙ୍କା ଆସିବ କେଉଁଠୁ ?  ନିରାଶ୍ରୟ ହୋଇ ପଡ଼ି ରହିବା ଛଡ଼ା ଆଉ କିଛି ଉପାୟ ବି ନାହିଁ ଏହି ପରିବାର ପାଖରେ ।

ଭୂମିହୀନ ଗରିବ ପରିବାରକୁ ସହାୟତା ପାଇଁ ଗାଁ ଲୋକେ ବି ବହୁତ କିଛି କରିଛନ୍ତି । ହେଲେ ସେମାନଙ୍କ ସୀମିତ ସମ୍ବଳ ଭିତରେ ବଳରାମଙ୍କ କ୍ୟାନସର ଚିକିତ୍ସା ସମ୍ଭବ ହୋଇପାରୁନି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହି ଗରିବ ପରିବାର ପ୍ରତି ସହାୟତାର ହାତ ବଢ଼ାଇଲେ ହୁଏତ ବଳରାମଙ୍କ ଚିକିତ୍ସା ହୋଇପାରନ୍ତା ।  ଯୋଗାଯୋଗ କରିବାର ଠିକଣା : ଶାନ୍ତି ଦାସ (ବଳରାମଙ୍କ ମାଆ) Phone No – 7894825144, ସିଣ୍ଡିକେଟ୍‌ ବ୍ୟାଙ୍କ୍‌, କୋଠି ଶାଖା, A/c No- 80342210016794, IFSC-SYNB0008034  Mob no-7894825144

   Related Posts