ବିଦ୍ୟୁତ ‌ଖୁଣ୍ଟକୁ ଧକ୍କା ଦେଲା ବାଇକ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 29, 2020 IST

ବୌଦ୍ଧ୨୯/୬: ଗତ ବିଳମ୍ବିତ ରାତିରେ ବୌଦ୍ଧ ସହର ବାପୁଜୀ ନଗର ନିକଟରେ ରାସ୍ତା ପାର୍ଶ୍ୱ ଏକ ବିଦ୍ୟୁତ ଖୁଣ୍ଟକୁ ବାଇକ୍ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ ବିଭାଗରେ କାମ କରୁଥିବା ବୌଦ୍ଧ ଥାନା ତେଲିବନ୍ଧ ଅନ୍ତର୍ଗତ ଗ୍ରାମ ପଞ୍ଚାୟତର କାଶଲପୁର୍ ଗ୍ରାମର କପିଳ କର୍ଣ୍ଣଙ୍କ ପୁଅ ପ୍ରିୟବ୍ରତ (୨୫) ଏକ ପଲସର୍ ବାଇକ ଯୋଗେ ବୁଟୁପାଲିରୁ ଇଲେକ୍ଟ୍ରିକ ଅଫିସ୍‌ ଅଭିମୁଖେ ଯାଉଥିବା ବେଳେ ବାପୁଜୀ ନଗର ନିକଟସ୍ଥ ଶଙ୍କଚୁଡ଼ ବନ୍ଧ ପାଖରେ  ଥିବା ବିଲଡିଂ ଦୋକାନ ନିକଟରେ ଥିବା ଗୋଟିଏ ବିଦ୍ୟୁତ୍ ଖମ୍ବରେ ପଲସର୍ ଧକ୍କା ଦେଇଥିଲା।

ବିଦ୍ୟୁତ୍ ଖମ୍ବରେ ପଲସର୍ ସାମାନ୍ୟ ଧକ୍କା ହେବାପରେ ଭାରସାମ୍ୟ ହରାଇ ନିକଟରେ ରଖା ଯାଇଥିବା ପଲ୍ୟୁସନ୍ ଟେଷ୍ଟ ବୋଲେରୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ରାତି ପ୍ରାୟ ୧୨ ଘଣ୍ଟା ସମୟରେ ହୋଇଥିବାରୁ ରାସ୍ତା ଶୂନଶାନ ଥିଲା । କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧଥାନାର ପିସିଆର୍ ଗାଡି ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ  ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ପ୍ରିୟବ୍ରତଙ୍କ ଦୁଃଖଦ ମୃତ୍ୟୁରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ  ସହକର୍ମୀ, ବନ୍ଧୁବର୍ଗ ମ୍ରିୟମାଣ ହୋଇ ପଡିଥିବାବେଳେ ତେଲିବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.