ବେଦନା ଦାୟକ : କରୋନା ବିପତ୍ତିରେ ଭୋକ ଯନ୍ତ୍ରଣାର କରୁଣ କଥା, ଭୋକିଲା ବୃଦ୍ଧା ମାଗୁଛନ୍ତି ଭାତ ସହ ଟିକିଏ ଲୁଣ...

Published By : Prameya-News7 Bureau | June 10, 2020 IST

ଭୁବନେଶ୍ୱର ୧୦।୦୬ : ପୁଅ କ’ଣ ଖାଇବା ଏତେ ଶୀଘ୍ର ସରିଗଲା !!! କଣ’ କରିବି ପୁଅ, ବୁଢ଼ୀ ମଣିଷଟା ଦୌଡ଼ି ଦୌଡ଼ି ଆସିପାରିଲିନି । ଭାତ, ଲୁଣ ଟିକେ ହେଲେ ବି ମତେ ଦେ । ଖଣ୍ଡଗିରି ଅଞ୍ଚଳର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କିଛି କର୍ତ୍ତୃପକ୍ଷଙ୍କୁ ବୁଢ଼ୀ ମାଉସୀ ଜଣେ ଏମିତି କହୁଥିବା ଆମେ ଶୁଣିଲୁ । ୪୭ ଦିନ ହେବ ଏମ୍‌ସ ହସ୍ପିଟାଲରେ ରୋଗୀଙ୍କ ପରିବାର ଓ ସମ୍ପର୍କୀୟ ମାନଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରାଯାଉଛି । ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପ୍ରଥମ ଦିନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ୧୫୦ଜଣଙ୍କ ପାଇଁ ରନ୍ଧାଖାଦ୍ୟ ଦିଆଯାଇଥିଲା । ପ୍ରଥମେ ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ୩୦ରୁ ୩୫ ଜଣ ଲୋକ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଧୀରେ ଧୀରେ ଏମ୍‌ସ୍‌ ସାରା ଏହି ଖବର ବିଜୁଳି ପରି ଖେଳିଗଲା । ପାଖାପାଖି ଦେଢ଼ ଶହରୁ ଅଧିକ ଲୋକ ଭାତ, ଡାଲମା ଖାଇବା ପାଇଁ ଗହଳି କରିଥିଲେ । ଲୋକଙ୍କ ଗହଳି ସାଙ୍ଗକୁ ସଂଘ ତରଫରୁ ଆସିଥିବା ଖାଇବା ସରି ସରି ଯାଉଥାଏ । ଡାଲମା ସରିବା ପରେ ସେପଟୁ ୭୫ ବର୍ଷିୟ ବୁଢ଼ୀ ମାଉସୀ ଧାଇଁ ଧାଇଁ ଆସିଥିଲେ ।

ମାଉସୀ ଆସିବା ବେଳକୁ ଭାତକୁ ଛାଡ଼ି ସବୁ ସରିଯାଇଥିଲା । ଏକଥା ଶୁଣି ମାଉସୀ କହିଥିଲେ ତିନି ଦିନ ହେଲା ପେଟରେ ଦାନା ପଡ଼ିନି । ଭାତ ଆଉ ଲୁଣ ଟିକେ ଦେ, ପୁଅ । ତାକୁ ଖାଇ ରାତି କାଟିଦେବି । କରୋନା ସମୟରେ ଘଟିଥିବା ଏମିତି କିଛି ଲୋମ ଟାଙ୍କୁରା କାହାଣୀ ସଂଘର କର୍ମକର୍ତ୍ତାଙ୍କୁ ବିଚଳିତ କରିଥିଲା । ସେମାନଙ୍କୁ ଆଉ ବୁଝିବାକୁ ବାକି ନଥିଲା ଯେ, ଭୋକ, ଧନୀ ଦରିଦ୍ର କିଛି ବୁଝେନା ବୋଲି ।

କରୋନା ସମୟରେ ଏହି ଭୋକ ଗରିବ ଓ ଅସହାୟ ଲୋକଙ୍କ ଉପରେ ଭାରି ପଡ଼ିଛି । କିଏ ରାଜ୍ୟ ବାହାରେ ଭୋକ ଉପାସରେ କଷ୍ଟରେ ରହୁଛନ୍ତି ତ ଆଉ କିଏ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରିୟଜନଙ୍କ ପାଇଁ ଭୋକ ଉପାସରେ ପଡ଼ି ରହୁଛନ୍ତି । କରୋନା ସମୟରେ ଅସହାୟ ହୋଇ ପଡ଼ିଥିବା ଏମିତି କିଛି ଲୋକଙ୍କୁ ଆରଏସ୍‌ଏସ୍‌ ସହଯୋଗ କରୁଛି । ୪୭ ଦିନ ଭିତରେ ୬୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଏହି ସଂଘ ଖାଦ୍ୟ ପ୍ରଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.