୮ ଆଖି ଥିବା ନୂତନ ପ୍ରଜାତିର ବୁଢିଆଣୀ ଆବିଷ୍କାର କଲେ ମହିଳା, ଜାଣିନଥିଲେ ଏହା କଣ

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୦୬।୧୦: ଜଣେ ପ୍ରକୃତିପ୍ରେମୀ ମହିଳା ଏକ ରହସ୍ୟମୟ ନୂତନ ପ୍ରଜାତିର ବୁଢିଆଣୀ ଦେଖିବାକୁ ପାଇଛନ୍ତି। ଅମାଣ୍ଡା ଡି ଜର୍ଜ ନାମକ ଏହି ମହିଳା ୧୮ ମାସ ପୂର୍ବେ ଅଷ୍ଟ୍ରେଲିଆର ଥିରୁଲରେ ଥିବା ତାଙ୍କ ଘରେ ଏହି ବୁଢିଆଣୀକୁ ଦେଖିବାକୁ ପାଇଥିଲେ। ଏହି ମାଙ୍କଡାର ଆଠଟି ଆଖି ରହିଛି। କିନ୍ତୁ ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ସେ ଜାଣିବାକୁ ପାଇଲେ ଯେ ଏହି ଆଠ ଗୋଡ଼ିଆ ଜୀବ ଏକ ନୂତନ ପ୍ରଜାତିର ଅଟେ।

ଅମାଣ୍ଡା ଚାରି ମିଲିମିଟର ଲମ୍ବର ଏହି ବୁଢିଆଣୀର ଫଟୋ ନିଜର ଫେସବୁକ୍‌ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଏହା କଣ ? ନୀଳ ରଙ୍ଗ ଏବଂ ମୁହଁରେ ଆଠଟି ଆଖି ଥିବା ଏହି ବୁଢିଆଣୀ ମେଲବର୍ଣ୍ଣର ଜଣେ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ସୂଚିତ କରାଇଥିଲେ ଯେ ଏହା ଏକ ଅଜ୍ଞାତ ପ୍ରଜାତିର  ଜୀବ।

ଅମାଣ୍ଡା ଡେଲି ମେଲ ଅଷ୍ଟ୍ରେଲିଆକୁ କହିଛନ୍ତି, ଏହି ଜୀବ ନିଜର ଚମକ ନୀଳ ଚେହେରା ଓ ଆଖି ସହିତ ଅବିଶ୍ଵସନୀୟ ସୁନ୍ଦର ଦେଖାଯାଉଥିଲା, ମାତ୍ର ଏହା ମୋତେ ଜଣାନଥିଲା ଯେ, ଏହା ଏକ ନୂତନ ପ୍ରଜାତିର ଅଟେ। ବିଶେଷଜ୍ଞ ଜଣକ ଏହି ବୁଢିଆଣୀକୁ ଧରି ପରୀକ୍ଷା ପାଇଁ ପଠାଇବାକୁ ପରାମର୍ଶ ଦେଇଛନ୍ତି।

ଯେତେ ବେଳେ ମୋତେ ଲାଗିଲା ଯେ ଏହା ବିଜ୍ଞାନ ପାଇଁ ଏକ ନୂତନ ପ୍ରଜାତି ଥିଲା, ସେ ପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇ ସାରିଥିଲା ବୋଲି ଅମାଣ୍ଡା କହିଛନ୍ତି। ମୋତେ ଆଉ ଗୋଟିଏ ଏହି ପ୍ରଜାତି ଖୋଜିବା ପାଇଁ ପୂରା ସାଢେ ତିନି ମାସ ଲାଗିଗଲା।

ଦୁଇଟି ବୁଢିଆଣୀକୁ ଧରିବା ପାଇଁ ତାଙ୍କୁ ଆଉ ତିନି ମାସ ସମୟ ଲାଗିଥିଲା। ସେ ଟିସୁରେ ଭର୍ତ୍ତି ପାତ୍ରରେ ରଖି ଜୋସେଫ ସୁବର୍ଟଙ୍କ ନିକଟକୁ ଏହା ପଠାଇଥିଲେ। ଜୋସେଫ ହେଉଛନ୍ତି ଭିକ୍ଟୋରିଆ ମ୍ୟୁଜିୟମର ବୁଢିଆଣୀ ଧରାଳି ବିଶେଷଜ୍ଞ ଥିଲେ। ଲକ୍‌ଡାଉନ୍ ସରିବା ପରେ ଏହାକୁ ପରୀକ୍ଷା ପରେ ଏହି ପ୍ରଜାତିର ନାମକରଣ କରାଯିବ ବୋଲି ସୁବର୍ଟ କହିଛନ୍ତି। ଅମାଣ୍ଡା କହିଛନ୍ତି ଏହି ପ୍ରଜାତିର ମାଙ୍କଡାର ନାମକରଣ ସଂପୂର୍ଣ୍ଣ ଭାବେ ଜୋସେଫଙ୍କ ଉପରେ ନିର୍ଭର କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.