ବିବାହ ନିମନ୍ତ୍ରଣ ପତ୍ରରେ ମୋଦିଙ୍କୁ ଭୋଟ ଦେବାପାଇଁ ଅପିଲ କଲେ ବରକନ୍ୟା, ହ୍ୱାଟ୍ସ ଆପରେ ଫଟୋ ଭାଇରାଲ
3/01/2019 at 1:38 PM

ସୁରଟ ୩/୧ : ବିବାହ ନିମନ୍ତ୍ରଣ ପତ୍ରରେ ନିଜ ଇଚ୍ଛା ପ୍ରକାଶ କରିବା ଆଜିକାଲି ଏକ ଟ୍ରେଣ୍ଡ ପାଲଟିଗଲାଣି | ଅନେକ ଲୋକେ ନିଜ ବିବାହ ନିମନ୍ତ୍ରଣ ପତ୍ରରେ ଉପହାର ନଆଣିବା ପାଇଁ ସ୍ପଷ୍ଟ ଭାବେ ଦର୍ଶାଉଥିବା ଆମେ ଦେଖିଛେ | ସେହି ଉପହାର ଗରିବଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ମଧ୍ୟ ଅନେକ ଲୋକେ ନିମନ୍ତ୍ରଣ ପତ୍ରରେ ଦର୍ଶାଇଥାନ୍ତି | ଗୁଜରାଟ ସୁରଟରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକ ନିମନ୍ତ୍ରଣ ପତ୍ର | ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବାପାଇଁ ନିମନ୍ତ୍ରଣ ପତ୍ରରେ ଅତିଥିଙ୍କୁ ଅପିଲ କରାଯାଇଥିବା ଦେଖିବାକୁ ମିଳିଛି | ନିମନ୍ତ୍ରଣ ପତ୍ରର ତଳେ ବରକନ୍ୟାଙ୍କ ବାପା ମା ଲେଖିଛନ୍ତି ଯେ, ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବା ହିଁ ଆମ ପାଇଁ ଉପହାର | ଏହି ନିମନ୍ତ୍ରଣ ପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

କେବଳ ସୁରଟ ନୁହେଁ ମାଂଗାଲୋରରେ ମଧ୍ୟ ଜଣେ ବ୍ୟକ୍ତି ନିଜ ବିବାହ ନିମନ୍ତ୍ରଣ ପତ୍ରରେ ଆସନ୍ତା ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ | ଆଉ କିଛି ନିମନ୍ତ୍ରଣ ପତ୍ରରେ ଦେଖିବାକୁ ମିଳିଥିଲା ଯେ, ମୋଦି ସରକାର ଶାସନ କାଳରେ ଦେଶରେ ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ତାହା ସବୁ ନିମନ୍ତ୍ରଣ ପତ୍ରରେ ଲେଖା ହୋଇଥିଲା | ମୋଦିଙ୍କ କିଛି ସମର୍ଥକ ନିମନ୍ତ୍ରଣ ପତ୍ରରେ ସ୍ୱଚ୍ଛ ଭାରତ ଲୋଗୋ ମଧ୍ୟ ଦେଇଥିବା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି | ଏହାକୁ ନେଇ ମୋଦି ରିଟ୍ୱିଟ ମଧ୍ୟ କରିଥିଲେ |