Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ଅପ୍ ପାଇଁ ମାସକୁ ଖର୍ଚ୍ଚ ହୋଇଥାଏ ୮୦ଲକ୍ଷ ! ଭିଡିଓ ଭାଇରାଲ୍

11/05/2019 at 3:23 PM

ନୂଆଦିଲ୍ଲୀ ୧୧|୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତି ମାସରେ ମୋଦିଙ୍କ ମେକ୍ଅପ୍ ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଦର୍ଶାଯାଇ ଭିଡିଓ ଭାଇରାଲ୍ ହେଉଛି ।

ପାଖାପାଖି ୪୫ ସେକେଣ୍ଡର ଏହି ଭାଇରାଲ ଭିଡିଓକୁ ଦେଖିଲା ପରେ ଜଣାପଡୁଛି ଯେ ମୋଦିଙ୍କ ମେକ୍ଅପ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି। ଭିଡିଓରେ କିଛି ବ୍ୟୁଟିସିଆନ୍ ଏବଂ ଷ୍ଟାଇଲିଷ୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମେକଅପ୍ କରୁଥିବାର ଦେଖିବାକୁ ମିଳିଛି। ଫେସବୁକ୍ ଏବଂ ଟ୍ବିଟରରେ ଏହି ଭିଡିଓକୁ ଦର୍ଶକ ହଜାର ହଜାର ଥର ଦେଖିସାରିଥିବାବେଳେ ସେୟାର ମଧ୍ୟ କରୁଛନ୍ତି।

ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଏହି ଭିଡିଓ ସହିତ ଲେଖିଛନ୍ତି ଯେ, ‘ଏ ହେଉଛନ୍ତି ଗରୀବର ପୁଅ, ମେକ୍ଅପ୍ କରାଉଛନ୍ତି’ । ଆରଟିଆଇ ତଥ୍ୟ ମାଧ୍ୟମରେ ଏହା ପର୍ଦ୍ଦାଫାଶ୍ ହୋଇଛି ଯେ, ମୋଦିଙ୍କର ଶୃଙ୍ଗାର ପାଇଁ ବ୍ୟୁଟିସିଆନକୁ ୮୦ଲକ୍ଷ ଟଙ୍କା ଦିଆଯାଉଛି।  

ଗୁରୁଗ୍ରାମର କଂଗ୍ରେସର ଜଣେ ଅଧିକାରୀଙ୍କ ଫେସବୁକ୍ ଫେଜ୍ ରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଯାହାକୁ ପ୍ରାୟ୯୫ହଜାର ଥର ଦେଖାଯାଇସାରିଲାଣି ।

ଯେଉଁ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାହା ସତ୍ୟ ମାତ୍ର ଏହାକୁ ଭୁଲ୍ ଭାବେ ଭାଇରାଲ୍ କରାଯାଉଛି । ଭିଡିଓରେ ଥିବା ବ୍ୟୁଟିସିଆନ୍ ମୋଦିଙ୍କ ବ୍ୟକ୍ତିଗତ ବ୍ୟୁଟିସିଆନ୍ ନୁହଁନ୍ତି ।

ଯେଉଁ ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ଅପ୍ ଭିଡିଓ ବୋଲି କୁହାଯାଉଛି ତାହା  ୨୦୧୬ ମସିହା ମାର୍ଚ୍ଚ ମାସର । ଏହି ଭିଡିଓକୁ ଲଣ୍ଡନ ସ୍ଥିତ ମଶହୁର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍ ସେୟାର କରିଥିଲା । ମ୍ୟୁଜିୟମ୍ ଅନୁସାରେ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହମ କଣ୍ଡେଇର ମାପ ନେବା ସମୟରେ ସୁଟିଂ କରାଯାଇଥିଲା । ମ୍ୟୁଜିୟମ୍ ର ୨୦ଜଣ କାରିଗର ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବକୁ ଆସିଥିଲେ । ୪ମାସ ମଧ୍ୟରେ ମୋଦିଙ୍କ ମହମ କଣ୍ଢେଇ ନିର୍ମାଣ କରିଥିଲେ ।  ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହମ କଣ୍ଢେଇ ୨୮ ଅପ୍ରେଲ ୨୦୧୬ରେ ସ୍ଥାପନ କରାଯାଇଥିଲା ।

   Related Posts