ଆପଣଙ୍କୁ ନିଦ ଆସୁନାହିଁ କି ? ଏମିତି କରନ୍ତୁ ଦୁଇ ମିନିଟ୍‌ରେ ଆସିଯିବ ନିଦ

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: କିଛିଲୋକ ଏମିତି ଅଛନ୍ତି ଯେଉଁମାନେ ବିଛଣାରେ ପଡୁ ପଡୁ ତାଙ୍କୁ ନିଦ ହୋଇଯାଇଥାଏ । ମାତ୍ର ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିଛଣାରେ ଘଣ୍ଟା ଘଣ୍ଟା ଧରି ପଡି ରହିଲେ ବି ସେମାନଙ୍କୁ ନିଦ ହୋଇନଥାଏ । ଯଦି ଆପଣ ମଧ୍ୟ ବିଛଣାରେ ପଡି ରହିବା ସତ୍ବେ ଆପଣଙ୍କୁ ନିଦ ଆସୁନାହିଁ ତେବେ ଆପଣଙ୍କ ପାଇଁ ଏକ ଉପାୟ ରହିଛି। ଯାହାକୁ ଆପଣାଇବା ଦ୍ବାରା ବିଛଣାରେ ପଡୁ ପଡୁ ଦୁଇ ମିନିଟ୍ରେ ଆପଣଙ୍କ ନିଦ ହୋଇଯିବ । ଏହି ଉପାୟଟି ଆର୍ମିରେ ଥିବା ଯବାନ ମାନେ ଆପଣାଉଥିବା ଏକ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଏହି ଉପାୟଟି ୟୁଏସ୍ ଆର୍ମିର ଯବାନମାନେ ଆପଣାଇଥାନ୍ତି । ଯବାନମାନେ ଯୁଦ୍ଧ ସମୟରେ ଶୀଘ୍ର ନିଦ ଲାଗିବା ପାଇଁ ଏହି ଉପାୟ ଆପଣାଇଥାନ୍ତି । ୧୯୮୧ ମସିହାରେ ପ୍ରକାଶିତ ‘ରିଲାକ୍ସ ଆଣ୍ଡ ଓ୍ବିନ୍ : ଚମ୍ପିଅନ ପରଫରମାନ୍ସ’ ପୁସ୍ତକରେ ଏହି ଉପାୟ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି । ଯାହା ଏବେ ଅନଲାଇନ ଓ୍ବେବସାଇଟ୍ ରେ ଉପଲବ୍ଧ ହେଉଛି । ଆର୍ମି ଚିଫ୍ ଏହି ଉପାୟ ଏଥିପାଇଁ ବାହାର କରିଥିଲେ ଯେ ଥକିଯିବା କାରଣରୁ ଯବାନମାନେ ଯେପରି କିଛି ଭୁଲ ନକରିପାରନ୍ତି । ଯବାନମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପାଇଁ ଏହି ଉପାୟକୁ ଆପଣାଇଥାନ୍ତି । ଜାଣନ୍ତୁ ଏହି ଉପାୟକୁ କିପରି କରିବେ : ନିଜ ମୁହଁର ସବୁ ମାଂସପେଶୀକୁ ହାଲକା କରନ୍ତୁ । ଜିଭ, ଦାନ୍ତ ମାଢି, ଆଖି ପାଖରେ ଥିବା ମାଂସପେଶୀକୁ ହାଲକା କରନ୍ତୁ । ନିଜ କାନ୍ଧକୁ ଯେତେ ପର୍ଯ୍ୟନ୍ତ ସମ୍ଭବ ତଳକୁ କରନ୍ତୁ । ନିଜ ବାହୁକୁ ଉପର ଏବଂ ତଳକୁ କରନ୍ତୁ । ତାପରେ ନିଶ୍ବାସକୁ ଛାଡନ୍ତୁ । ଛାତି ଏବଂ ପାଦକୁ ହାଲକା କରନ୍ତୁ । ଏହା ପରେ ଆପଣଙ୍କ ମସ୍ତିଷ୍କରୁ ଅନ୍ୟ ସମସ୍ତ କଥା ବାହାର କରିବାକୁ ଚେଷ୍ଟା କରନ୍ତୁ । ଏହା ମାତ୍ର ୧୦ସେକେଣ୍ଡ ପାଇଁ କରନ୍ତୁ । ଏହି ୧୦ସେକେଣ୍ଡ ଆପଣ ନିଜକୁ ନିଜେ କୁହନ୍ତୁ ‘ଚିନ୍ତା କରନାହିଁ, ଚିନ୍ତା କରନାହିଁ’ । ରିପୋର୍ଟ ଅନୁସାରେ ୬ସପ୍ତାହ ଏପରି ଅଭ୍ୟାସ କରିବା ଦ୍ବାରା ପ୍ରାୟ ୯୬ପ୍ରତିଶତ ଲୋକଙ୍କ ପାଇଁ ଏହା ଲାଭପ୍ରଦ ହେବ । ଅନେକ ସମୟରେ ନିଦ ନଆସିବା ସମସ୍ୟା ଲୋକଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ନିଦ ନଆସିବା ଫଳରେ ଟାଇପ-୨ ଡାଇବେଟିସ୍, ହାର୍ଟ ରୋଗ ଏବଂ ଧ୍ୟାନ ରଖିବା କ୍ଷମତା ପ୍ରଭାବିତ ହେବାର ଭୟ ରହିଥାଏ । ନିଦ ହେଉନଥିବା ଲୋକମାନଙ୍କ ପାଇଁ ଏହି ଉପାୟଟି ଫଳପ୍ରଦ ହେବ । ଭଲ ନିଦ ହେବା ପାଇଁ ୩ଟି ଜିନିଷ କରିବା ଜରୁରୀ ହୋଇଥାଏ । ଶୋଇବା ଘର ଏବଂ ବିଛଣା ଆରାମଦାୟକ ହୋଇଥିବା ଉଚିତ୍, ଶରୀର ହାଲକା ଏବଂ ମସ୍ତିଷ୍କ ଶାନ୍ତ ହେବା ଜରୁରୀ । ଯଦି ଆପଣଙ୍କ ମସ୍ତିଷ୍କ ଚଳଚଞ୍ଚଳ ରହିବ ତେବେ ଆପଣଙ୍କୁ କେବେ ହେଲେ ବି ନିଦ ଆସିବ ନାହିଁ । ନିଦ ଆସିବା କୌଣସି ବି ଯାଦୁ ବିଦ୍ୟା ନୁହେଁ । ଆପଣଙ୍କୁ ଖୋଜି ବାହାର କରିବାକୁ ହେବ ଯେ କେଉଁ ଜିନିଷ କରିବା ଦ୍ବାରା ଆପଣଙ୍କୁ ନିଦ ହେବାରେ ସହାୟକ ହେଉଛି । ତାହା ବହି ପଢିବା ହେଉ, କି ଗରମ ପାଣିରେ ଗାଧୋଇବା ହେଉ, ଚା ପିଇବା ହେଉ, ଏରୋମୋ ଥେରାପି, ଗୀତ ଶୁଣିବା ହେଉ କି ଅନ୍ୟ କୌଣସି ଜିନିଷ ଯାହା ଦ୍ବାରା ଆପଣଙ୍କୁ ନିଦ ଆସୁଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.