୧୩ ହଜାର କିଲୋମିଟର ଉଡ଼ିବା ପରେ ‘ପାରା’ ନିଖୋଜ, ଖୋଜି ନୟାନ୍ତ ହେଲେଣି ଅଷ୍ଟ୍ରେଲୀୟ ବନ ବିଭାଗ, ‘ଜୋ’କୁ ଦିଆଯିବ ମୃତ୍ୟୁ ଦଣ୍ଡ, ଭୟର କାରଣ କୋଭିଡ୍
14/01/2021 at 9:57 PM

ନୂଆଦିଲ୍ଳୀ ୧୪/୧୦: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ତାଙ୍କ ଦେଶରୁ ଉଡ଼ି ଆସିଥିବା ପାରାର ନାଁ ବି ଜୋ। କିନ୍ତୁ ଏବେ ‘ଜୋ’କୁ ମାରିଦେବା ପାଇଁ ସରକାର ସ୍ଥିର କରିଛନ୍ତି । କରୋନା ଭୟ ପାଇଁ ବିଚରା ‘ଜୋ’ର ଜୀବନ ଯିବ। କାଳେ କରୋନା ଭୂତାଣୁ ନେଇ ଆସିଥିବ ତେଣୁ ତାକୁ ମାରିଦେବାକୁ ଅଷ୍ଟ୍ରେଲିଆ ସରକାର ସ୍ଥିର କରିଛନ୍ତି । ତେବେ ପାରାଟିକୁ ଏବେ ଖୋଜାପଡ଼ିଛି।
ଆମେରିକାରୁ ରାସ୍ତା ଭୁଲି ୮୦୦୦ ମାଇଲ(ପାଖାପାଖି ୧୩ ହଜାର କି.ମି) ଅତିକ୍ରମ କରି ପ୍ରଶାନ୍ତ ମହାସାଗର ଡେଇଁବା ପରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା ପାରା। ଓରେଗନ୍ରୁ ଗତବର୍ଷ ଅକ୍ଟୋବର ୨୯ରୁ ନିଖୋଜ ଥିବା ପାରା ଦୀର୍ଘ ଦୁଇ ମାସ ଭ୍ରମଣ କରିବା ପରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ତେବେ ଏହି ପାରାଟିକୁ କେଭିନ୍ ସେଲି ବାର୍ଡ ଧରିଥିବା ଦାବି କରିଛନ୍ତି । ପାରାକୁ ଧରିବା ପରେ ଏହାର ନାଁ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନାଁ ଅନୁସାରେ ତାର ନାଁ ‘ଜୋ’ ରଖିଥିଲେ କେଭିନ୍ ସେଲି। କିନ୍ତୁ ପାରାର ଯତ୍ନ ନେବା ସହ ଶୁଖିଲୂା ବିସ୍କୁଟ ଦେଇ ଛାଡ଼ି ଦେଇଥିବା ବି କହିଥିଲା କେଭିନ୍-ସେଲି-ବାର୍ଡ।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ଆଉ ଥରେ ସେ ପକ୍ଷୀକୁ ଧରିବା ପାଇଁ ସେଲି-ବାର୍ଡଙ୍କୁ କ୍ବାରେଣ୍ଟାଇନ୍ ଅଧିକାରୀ ନିର୍ଦେଶ ଦେଇଥିଲେ। କିନ୍ତୁ ଚିକିତ୍ସା ପାଇବା ପରେ ଜୋ ପୁଣିଥରେ ନିଜ ସାମର୍ଥ୍ୟ ଫେରିପାଇଛି ଏବଂ ତାକୁ ଧରିବା ଅସମ୍ଭବ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ସେଲି ବାର୍ଡ। ଏହା ସହ ସେମାନେ ତାଙ୍କୁ ସହାୟତା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେଲି ବାର୍ଡ କହିଥିଲେ ପାରାଟିକୁ ଧରିବା ଅସମ୍ଭବ କାରଣ ତାର ଉଡ଼ିବାର ବେଗ ଏବେ ବହୁ ଅଧିକ।
ମିଳିଥିବା ସୂଚନା ଅନୁସାରେ ଏବେ କ୍ବାରେଣ୍ଟାଇନ୍ ଅଧିକାରୀ ଓ ବନ ଅଧିକାରୀମାନେ ଜଣେ ପେଶାଦାର ପକ୍ଷୀ ଧରାଳିକୁ ନିଯୁକ୍ତି କରିବାକୁ ଯାଉଛନ୍ତି। ସେଲି-ବାର୍ଡ ପାରାଟିକୁ ଖାଇବାକୁ ପିଇବାକୁ ଦେଇଥିବାରୁ ସେ ତାଙ୍କ ପକ୍ଷୀ ଶାଳାକୁ ନିଜ ଘର ବୋଲି ଭାବି ନେଇଥିଲା। କିନ୍ତୁ ତାକୁ ଧରିବା ଆଉ ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଜାତୀୟ ପାରା ସଂଗଠନ ସଚିବଙ୍କ ମତରେ ଚୀନ ପାରା ଜାହଜ ମାଧ୍ୟରେ ଅଷ୍ଟ୍ରେଲିଆରେ ପହଞ୍ଚୁଛନ୍ତି। ସେହିଭଳି ଜୋ ବି ପହଞ୍ଚିଥାଇପାରେ ବୋଲି କୁହାଯାଉଛି।