ଜଣଙ୍କ ପାଇଁ ଫସିଲେ ୩୦ ହଜାର ଦର୍ଶକ, ଡିଜ୍‌ନୀ ଲ୍ୟାଣ୍ଡରେ ଘଣ୍ଟା ଘଣ୍ଟା ଚାଲିଲା କରୋନା ପରୀକ୍ଷା

Published By : Prameya-News7 Bureau | November 08, 2021 IST

ବେଜିଂ ୦୮/୧୧: ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବାରୁ ୩୦ ହଜାର ଜଣଙ୍କୁ ଜବରଦସ୍ତି ପରୀକ୍ଷା କରାଯାଇଛି ।  ଶଙ୍ଘାଇ ଡିଜ୍‌ନୀ ଲ୍ୟାଣ୍ଡରେ ଜଣେ ପର୍ଯ୍ୟଟକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ସେଠାକୁ ବୁଲିବାକୁ ଯାଇଥିବା ୩୦ ହଜାର ଦର୍ଶକଙ୍କୁ କୋଭିଡ୍‌ ପରୀକ୍ଷା ପାଇଁ ବାଧ୍ୟ କରାଯାଇଛି । ଏହା ସହ ଡିଜନୀଲ୍ୟାଣ୍ଡକୁ ଦୁଇ ଦିନ ଯାଏଁ ବନ୍ଦ ଘୋଷଣା କରାଯାଇଛ । ବିଭିନ୍ନ ପ୍ରାନ୍ତରେ କରୋନା ଯାଞ୍ଚରେ ସହଯୋଗ କରିବା ପାଇଁ ଡିଜନୀ ଲ୍ୟାଣ୍ଡକୁ ବନ୍ଦ କରାଯାଇଥିବା ବେଳେ ଚୀନ ସରକାର କରୋନା ମହାମାରୀକୁ ରୋକିବାରେ କେତେ ସକ୍ଷମ ସେନେଇ ସମୀକ୍ଷା ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ହଙ୍ଗଜୋ ସହରରେ ଜଣେ ବ୍ୟକ୍ତି ଶନିବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ଶନିବାର ଡିଜନୀ ଲ୍ୟାଣ୍ଡ ଯାଇଥିଲେ। ଏନେଇ ଜଣାପଡ଼ିବା ପରେ ରବିବାର ଡିଜନୀ ଲ୍ୟାଣ୍ଡର ଗେଟ୍‌ ବନ୍ଦ କରାଯିବା ସହ ଆଗନ୍ତୁକଙ୍କୁ ସେଠାକୁ ଯିବା ଉପରେ ରୋକ ଲଗାଇ ଦିଆଯାଇଥିଲା । ଏହା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚି ସମସ୍ତଙ୍କ କରୋନା ପରୀକ୍ଷା କରିଥିଲେ।

ରବିବାର ଘଣ୍ଟା ଘଣ୍ଟା ପରୀକ୍ଷା ଚାଲିଥିବା ବେଳେ ହଜାର ହଜାର ଦର୍ଶକ ପାର୍କରେ ଫସି ରହିଥିଲେ। ନେଗେଟିଭ୍‌ ରିପୋର୍ଟ ଆସିଲେ ହିଁ ପାର୍କରୁ ବାହାରିବାକୁ ଅନୁମତି ମିଳୁଥିଲା। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ସେମାନଙ୍କୁ ୧୪ ଦିନ ପରେ ପୁଣି ଥରେ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.