ଝିଅ ପାଇଁ ହାତରେ ହାତୁଡି ଧରି ପଥର ଫଟାଇ ଅର୍ଥ ସଞ୍ଚୟ କରୁଛି ମା’
8/03/2021 at 2:56 PM

ନୀଳଗିରି,୦୮/୦୩: ଝିଅର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ହେଉଛି । ମୋ ପାଖରେ ସମ୍ବଳ ନାହିଁ ଯେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଝିଅକୁ ଭଲ କରିପାରିବି । ପରିବାରର ପେଟ ଚିନ୍ତା ବି ଘାରିଛି । ତଥାପି ମୁଁ ଭାଙ୍ଗି ପଡିନି । ଯେମିତି ବି ହେଉ ସ଼ଞ୍ଚୟ ମତେ କରିବାକୁ ପଡିବ । ଆଉ ଝିଅ ମୋର ନିଶ୍ଚୟ ଭଲ ହେବ । ସେଥିପାଇଁ ମୁଁ ହାତରେ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି । ଏହି ହୃଦୟ ଥରାଇ ଦେଉଥିବା କିଛି ବାକ୍ୟ ଆଖି ଛଳ ଛଳ ନୟନରେ ନିଜର ଦୁଃଖ ବଖାଣି କହିଛନ୍ତି ଜଣେ ମହିଳା ।
ଏଭଳି ହୃଦୟ ବିଦାରକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଦେଖିବାକୁ ମିଳିଛି । ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମରେ ଉମାକାନ୍ତ ସିଂ ଓ ଲଷ୍ମୀ ବୈଦିକ ରୀତିରେ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ ଏବଂ ପରେ ତାଙ୍କର ଝିଅଟିଏ ହୋଇଥିଲା । ନାଁ ତାର ସେମାନେ ସୌଭାଗ୍ୟବତୀ ରଖିଥିଲେ । ଝିଅଟିଏ ଦେଖି ପରିବାର ଖୁସି କହିଲେ ନସରେ । ହେଲେ ଏହା ଖୁସି କ୍ଷଣ ସ୍ଥାୟୀ ପାଲଟିଥିଲା । ଝିଅର ଅସ୍ୱାଭାବିକ ଭାବେ ମୁଣ୍ଡ ବଢିଚାଲିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।
ପରିବାର ଲୋକ କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଲେ । ଯାହା କିଛି ଅର୍ଥ ପେଟକୁ କାଟି ରଖିଥିଲେ ସବୁ ଝିଅର ଚିକିତ୍ସା ଖର୍ଚ୍ଚ ରେ ଲାଗିଗଲା । ଡାକ୍ତର କହିଲେ ଅପରେସନ ହେବ । ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଏହା ଶୁଣି ଉଭୟ ବାପା ମାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ପୂର୍ବରୁ ଏଭଳି ଘଟଣାକୁ ନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଏହାକୁ ହାଲୁକା ଭାବେ ନେଇଥିବା ସେ ଅଭିଯୋଗ କରିଛନ୍ତି ।
ଝିଅର କଷ୍ଟ ଆଉ ଲଷ୍ମୀ ଦେଖିନପାରି ଶେଷରେ ପଥର ପିଟି ଅର୍ଥ ଉପାର୍ଜନ କରିବାକୁ ନିଷ୍ପତ୍ତି ନେଇ କାମକୁ ଯାଇଥିଲେ । ମହିଳା ହୋଇ ଘରର ଏରୁଣ୍ଡି ବନ୍ଧ ଡେଇଁ ଦେଢବର୍ଷର ଝିଅକୁ ସାଙ୍ଗରେ ନେଇ ଏବେ ପଥର ସହ ଲକ୍ଷ୍ମୀ ସଂଗ୍ରାମ କରୁଛନ୍ତି । ହାତରେ ହାତୁଡି ଧରି ଉଦୁଉଦିଆ ଖରାରେ ସେ ଝାଳ ବୁହାଇ ଅର୍ଥ ରୋଜଗାର କରି ସଞ୍ଚୟ କରୁଛନ୍ତି । ମହିଳା ହୋଇ କେବେ ପରିଶ୍ରମ କରିବାକୁ ପଛାଇ ନାହାନ୍ତି । ଏଭଳି ପରିବାର ପାଇଁ କେହି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସହୃଦୟ ବ୍ୟକ୍ତିଙ୍କ ହାତ ବଢ଼ାଇବା ସହ ସରକାରଙ୍କ ଯୋଜନା ପହଁଚିଲେ ସୌଭାଗ୍ୟବତୀର ଭାଗ୍ୟ ଖୋଲିପାରିବ । ପ୍ରଶ୍ନ ଉଠେ ଜଣେ ମହିଳା ନିଜ ପିଲା ପାଇଁ ଜୀବନ ସହ ସଙ୍ଘର୍ଷ କରୁଥିବା ବେଳେ ଆଜିର ବିଶ୍ୱ ମହିଳା ଦିବସ ଧୁମଧାମରେ ପାଳନ କରିବା କାହା ପାଇଁ ?