ପୁଅକୁ ବଞ୍ଚାଇବାକୁ ଯାଇ ପୋଖରୀରେ ବୁଡି ମା ମୃତ

Published By : Prameya-News7 Bureau | October 23, 2020 IST

ଆନନ୍ଦପୁର ୨୩।୧୦: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ପୋଖରୀରେ ବୁଡିଯାଉଥିବା ନିଜ ୩ ବର୍ଷର ପୁଅକୁ ବଞ୍ଚାଇବାକୁ ଯାଇ ପୋଖରୀରେ ବୁଡି ମା ର ମୃତ୍ୟୁ ଘଟିଛି। ପୋଲିସ୍ ମୃତଦେହ ଜବଦ କରି ବ୍ୟବଚ୍ଛେଦ କରାଇଛି।

ସୂଚନା ଅନୁଯାୟୀ ନୂଆଗାଁର ଅଜୟ ବେହେରା  ଅନ୍ୟ ରାଜ୍ୟରେ କାମ କରନ୍ତି। ଘରେ ସ୍ତ୍ରୀ ନମିତା , ତିନି ବର୍ଷର ପୁଅ , ଭାଇ  ସଂଜୟ ଓ ବାପା ଶଶିଆ ବେହେରା ରହନ୍ତି। ଆଜି ମା ପୁଅ ଘରେ ଥିବା ସମୟରେ ପୁଅ କେତେବେଳେ ଘରୁ ବାହାରି ପୋଖରୀ କୂଳକୁ ଚାଲିଯାଇଥିଲା  ପୁଅକୁ ଖୋଜା ଖୋଜି କରି ପୋଖରୀ ନିକଟରେ ପହଁଞ୍ଚିବା ବେଳକୁ ପୁଅ ପୋଖରୀ ଭିତରେ ବୁଡିଯାଉଥିଲା। ଉଦ୍ଧାର କରିବାକୁ ଯାଇ ମା ନମିତା ପୋଖରୀ ଭିତରକୁ ଡେଇଁ ପଡିଥିଲା।  ସ୍ଥାନୀୟ ଲୋକେ ଦେଖି ପୁଅକୁ ଉଦ୍ଧାର କରିଥିଲେ।  ହେଲେ ମା ନମିତା ପୋଖରୀ ଭିତରେ ଥିବା ନେଇ ଆଉ ଧ୍ୟାନ କାହାରି ନଥିଲା। ପରେ ଜାଣିପାରି ଲୋକେ ମା ନମିତାକୁ ଖୋଜାଖୋଜି କରି ପାଣିରୁ ଉଦ୍ଧାର କରିଥିଲେ। ସେତେ ବେଳକୁ ନମିତାଙ୍କ ମୃତ୍ୟୁ ଘଟିସାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.