ଶିଶୁପୁତ୍ରକୁ ଜନ୍ମ ଦେଲେ ନାବାଳିକା, ସାବତ ଭାଇର କଳାକାରନାମାର ହେଲା ପର୍ଦ୍ଦାଫାଶ

Published By : Prameya-News7 Bureau | August 30, 2019 IST

ମେରଠ୍‌୩୦|୮: ଉତ୍ତର ପ୍ରଦେଶର ମେରଠ୍‌ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଭାଇ-ଭଉଣୀଭଳି ପବିତ୍ର ସଂପର୍କକୁ କଳଙ୍କିତ କରିଛି ସାବତ ଭାଇ। ସାବତ ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛି ଭଉଣୀ। ଭଉଣୀଙ୍କୁ ମାସ ମାସ ଧରି ଅଭିଯୁକ୍ତ ସାବତ ଭାଇ ଦୁଷ୍କର୍ମ କରି ଆସୁଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।  ଏଥିସହ ସାବତ ଭାଇର ଘୃଣ୍ୟ କାମ ପାଇଁ  ପୀଡ଼ିତା ଏବେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପୀଡ଼ିତା ଓ ତାଙ୍କ ମାଆ ନ୍ୟାୟ ପାଇଁ ଏସଏସପି ଅଫିସରେ ପହିଞ୍ଚିଛନ୍ତି।

ସୂଚନା ମୁତାବକ, ଏହିଭଳି ଲଜ୍ଜାଜନକ ଘଟଣା ମେରଠ୍‌ର ବ୍ରହମପୁର ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତାଙ୍କ ମାଆଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀଙ୍କ ସେ  ଦ୍ବିତୀୟ ପତ୍ନୀ। ତାଙ୍କ ସ୍ବାମୀଙ୍କର ପ୍ରଥମ ପତ୍ନୀଙ୍କର ୪ ଜଣ ପିଲା ଥିଲେ । ପ୍ରଥମ ପତ୍ନୀଙ୍କ ମୃତ୍ୟ ପରେ ତାଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ବିବାହ କରିଥିବା ପୀଡ଼ିତାଙ୍କ ମାଆଙ୍କର ମଧ୍ୟ ପୂର୍ବରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ।

ସ୍ବାମୀଙ୍କର ପ୍ରଥମ ପତ୍ନୀଙ୍କ ପୁଅ ତାଙ୍କ ୧୬ ବର୍ଷିୟା ନାବାଳିକା ଝିଅଙ୍କୁ ବୁଝାଇସୁଝାଇ କୁଆଡେ ନେଇ ଯାଇଥିଲା। ସାବତଭାଇ ତାଙ୍କୁ ଦୁଷ୍କର୍ମ କରୁଥିବା କିଛିଦିନ ତଳେ ପୀଡ଼ିତା ଫୋନରେ ନିଜ ମାକୁ କହିଥିଲେ । ହେଲେ ପୀଡ଼ିତା ଜଣେ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ମାଆଙ୍କ ପାଖରେ ନାବାଳିକାଙ୍କୁ ଛାଡି ସାବତ ଭାଇ ଫେରାର ହୋଇଯାଇଛି।

ପୀଡ଼ିତାଙ୍କ କହିବା ମୁତାବକ ତାଙ୍କୁ ବହୁଦିନ ପର୍ଯ୍ୟନ୍ତ ଜୋର ଜବରଦସ୍ତ ଅଟକ ରଖି ତାଙ୍କ ସହ ସାବତ ଭାଇ ଦୁଷ୍କର୍ମ କରୁଥିଲା । କିଛି ଦିନ ପରେ ସେ ଗୋଟେ ଶିଶୁକୁ ଜନ୍ମ ଦେଇଥିଲେ। ସାବତ ଭାଇ ବିରୋଧରେ ପୀଡ଼ିତା ଓ ତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ପରେ ଅଭିଯୁକ୍ତ ସାବତ ଭାଇ ଫେରାର ଅଛି। ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.