ପୃଥିବୀକୁ ମୁହାଁଇଛି ବିଶାଳ ସୌର ଝଡ଼, ଅନ୍ତରୀକ୍ଷରେ ପ୍ରତି ସେକେଣ୍ଡ ୫୦୦ କିଲୋମିଟର ବେଗରେ ମାଡିଆସୁଛି ଚାର୍ଜିତ କଣିକା
17/01/2021 at 7:28 PM

ୱାସିଂଟନ : ସୂର୍ଯ୍ୟଙ୍କ ଦକ୍ଷିଣ ଭାଗରେ ସୃଷ୍ଟି ହୋଇଥିବା ଏକ ଝଡ଼ ଏବେ ପୃଥିବୀକୁ ମୁହାଁଇଛି। ସୌରକଣିକା ଅନ୍ତରୀକ୍ଷରେ ପ୍ରତି ସେକେଣ୍ଡ ୫୦୦ କିଲୋମିଟର ବେଗରେ ମାଡି ଆସୁଥିବା ଆମେରିକାର ନ୍ୟାସନାଲ ଓସନିକ୍ ଏଣ୍ଡ ଆଟମୋସଫିୟର ଅଥରିଟି( ଏନଓଏଏ) ସ୍ପେସ୍ ୱେଦର ଏକ୍ସପର୍ଟ ସୂଚନା ଦେଇଛନ୍ତି।

ସୂର୍ଯ୍ୟରୁ ବାହାରିବା ପରେ ଝଡ଼ ଅନ୍ତରୀକ୍ଷରେ ୧୫ କୋଟି କିଲୋମିଟର ଦୂର ଅତିକ୍ରମ କରିଗଲାଣି। ଏଥିରୁ ରବିବାର ଅଥବା ସୋମବାର ସୁଧା ଝଡ଼ ପୃଥିବୀର ବାୟୁମଣ୍ଡଳ ସହ ଧକ୍କା ଲାଗିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏଥିଯୋଗୁ ଆର୍କଟିକ୍ରେ ଔରରା ଦେଖାଯିବ ବୋଲି ଏନଓଏଏ ବିଶେଷଜ୍ଞ ଆଶଙ୍କା କରୁଛନ୍ତି।

ପୃଥିବୀ ମ୍ୟାଗ୍ନେଟୋସ୍ପିୟରରେ ସୋଲାର ୱିଣ୍ଡ ଧକ୍କା ଲାଗିଲେ ଔରରା ସୃଷ୍ଟି ହୋଇଥାଏ। ଏଥିରୁ ନୀଳ ଓ ସବୁଜ ରଙ୍ଗର ସୁନ୍ଦର ଦୃଶ୍ୟ ସୃଷ୍ଟି ହୁଏ। ଏହାକୁ ନର୍ଦ୍ଦନ ଲାଇଟସ୍ ମଧ୍ୟ କୁହାଯାଏ। ଯାହାକୁ ଦେଖିବାକୁ ଲୋକେ ବେସ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ତେବେ ସାଟେଲାଇଟ୍ ଆଧାରିତ ଟେକ୍ନୋଲଜି ହୁଏତ ଏହି ଝଡ଼ ଯୋଗୁ ପ୍ରଭାବିତ ହେବାର ଏବେ ଆଶଙ୍କା କରାଯାଉଛି।

ସୋଲାର ୱିଣ୍ଡ ପ୍ରଭାବରେ ପୃଥିବୀର ବାୟୁମଣ୍ଡଳ ଉଷ୍ମ ହୋଇପାରେ। ଏହାର ପ୍ରଭାବ ହୁଏତ ସାଟେଲାଇଟ୍ ଉପରେ ପଡିପାରେ। ଏଣୁ ଜିପିଏସ୍, ନେଭିଗେସନ, ମୋବାଇଲ ଫୋନ ସିଗ୍ନାଲ ଓ ସାଟେଲାଇଟ୍ ଟିଭିରେ ବାଧା ଉପୁଜିପାରେ। ବୈଦୁତିକ ତରଙ୍ଗ ଯୋଗୁ ବିଦ୍ୟୁତ ଲାଇନରେ ଉଚ୍ଚଶକ୍ତି ସମ୍ପନ୍ନ ତରଙ୍ଗ ପ୍ରବାହୀତ ହୋଇପାରେ। ଫଳରେ ଟ୍ରାନ୍ସଫର୍ମର ପୋଡିଯିବା ଯୋଗୁ ବିଦ୍ୟୁତ ବିଭ୍ରାଟର ଆଶଙ୍କା କରାଯାଉଛି।

ତେବେ ସୌର ଝଡ଼ ଯୋଗୁ ଏପରି ହେବାର ସମ୍ଭାବନା କମ୍ ଥାଏ। କାରଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏହା ବିପକ୍ଷରେ କାମ କରିଥାଏ। ଏହା ପୂର୍ବରୁ ୧୮୫୯ ମସିହାରେ ଏହିପରି ଏକ ଝଡ଼ ପୃଥିବୀର ବାୟୁମଣ୍ଡଳ ସହ ଧକ୍କା ଲାଗିଥିଲା। ତତ୍କାଳୀନ ତ୍ୱରିତ ଯୋଗୋଯୋଗ ସେବା ଟେଲିଗ୍ରାଫ ବ୍ୟବସ୍ଥା ଅଚଳ ହୋଇଯାଇଥିଲା।

ତା ପରଠାରୁ ଏପରି ବଡ ସୌର ଝଡ଼ କେବେ ହୋଇ ନଥିବାରୁ ଏହାର ପ୍ରଭାବ କିପରି ହେବ ସେ ନେଇ ବିଶେଷ ଆକଳନ ହୋଇ ପାରିନାହିଁ। ଏଣୁ ସୌର ଝଡର ଅଧ୍ୟାୟନ ଓ ଏହାର ପ୍ରଭାବରୁ ଆମର ଟେକ୍ନୋଲଜିକୁ ସୁରକ୍ଷିତ କରିବା ଜରୁରି ବୋଲି ବୈଜ୍ଞାନିକ କହି ଆସୁଛନ୍ତି। ଆସୁଥିବା ଝଡ ପୃଥିବୀରେ ଟ୍ରିଲିୟନ ଡଲାରର କ୍ଷୟକ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି। ଏଥିରେ ଯେଉଁ ଭିତ୍ତିଭୂମି ଧ୍ୱଂସ୍ତ ହେବ ତାକୁ ପୁଣି ଥରେ ଛିଡା କରିବାକୁ ଅନେକ ବର୍ଷ ଲାଗିଯାଇପାରେ।