ଯୌତୁକ ଦେଇ ପାରିଲାନି ପତ୍ନୀ, ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କଲା ସ୍ଵାମୀ, ତା’ ପରେ…
20/01/2021 at 5:08 PM

ନାଗପୁର ୨୦।୦୧: ଦୁନିଆ ଏକବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ମଧ୍ୟ ସମାଜରୁ ଏ ପର୍ଯ୍ୟନ୍ତ ଯୌତୁକ ବ୍ୟାଧି ଥମିବାର ନାଁ ନେଉନାହିଁ। ଯୌତୁକ ପାଇଁ କେଉଁଠି ବଧୂ ହତ୍ୟା ହେଉଛି ତ କେଉଁଠି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଆଉ କେଉଁଠି ବୋହୂକୁ ଘରୁ ତଡି ଦିଆଯାଉଛି। ହେଲେ ମହାରାଷ୍ଟ୍ରର ନାଗପୁରରେ ଯୌତୁକ ନେଇ ଏକ ଅଜବ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବର ଯୌତୁକ ଆଣି ନଥିବାରୁ ପତ୍ନୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବର ବିରୋଧରେ ଏତଲା ଦାୟର ହୋଇଛି।
ଅଭିଯୋଗ ହୋଇଛି ଯେ, ଅଭିଯୁକ୍ତ ବର ପ୍ରତି ମାସରେ ନିଜ ପତ୍ନୀଙ୍କଠୁ ଯୌତୁକ ବାବଦରେ ପ୍ରତି ମାସରେ ୧୦ ହଜାର ଟଙ୍କା ଆଦାୟ କରୁଥିଲା। ହେଲେ ଗତ କିଛି ମାସ ହେବ ପତ୍ନୀ ଟଙ୍କା ଦେଇ ପାରିନଥିଲେ। ଫଳରେ ବର ଅନେକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା। ଏପରିକି ଯୌତୁକ ଟଙ୍କା ଦେବାକୁ ଅସମର୍ଥ ନିଜ ପତ୍ନୀଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲା। ନାଗପୁରର ଗିଟ୍ଟିଖାଦାନ ଥାନାରେ ଏନେଇ ଅଭିଯୋଗ ହୋଇଛି।
କେବଳ ଏତିକି ନୁହେଁ ପତି ପତ୍ନୀର ଅନ୍ୟ ପୁରୁଷ ସହ ଅଶ୍ଳୀଳ ଫଟୋ ଅନ୍ୟକୁ ପଠାଇଥିବା ଅଭିଯୋଗ ହୋଇଛି। ପତିର ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ପତ୍ନୀ ସ୍ଥାନୀୟ କୋର୍ଟର ଆଶ୍ରୟ ନେଇଛନ୍ତି। ପତ୍ନୀର ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ଵାମୀ ବିରୋଧରେ ଅନେକ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।