ବିହାରରୁ ୧୪୦୦କିମି ସାଇକେଲ ଚଲାଇ ଉଜ୍ଜୈନ ଥାନାକୁ ଆତ୍ମସମର୍ପଣ କରିବାକୁ ପହଞ୍ଚିଲେ ମୁକେଶ : ଖୁସି ହୋଇ ଫୁଳମାଳ ପିନ୍ଧାଇଲା ପୋଲିସ୍

Published By : Prameya-News7 Bureau | October 12, 2020 IST

ଉଜ୍ଜୈନ ୧୨/୧୦: ଏହି ଘଟଣା ପୋଲିସ୍ ପାଇଁ ବି ନୂଆ ଏବଂ ଶୁଣିବା-ପଢ଼ିବା ଲୋକଙ୍କ ପାଇଁ ବି ନୂଆ। ପୋଲିସ୍ କାହାକୁ ଗିରଫ କରିବା ପୂର୍ବରୁ ପ୍ରଥମେ ଗରିବ ଏବଂ ପରିଶ୍ରମୀ ବ୍ୟକ୍ତିକୁ ଫୁଳମାଳ ପିନ୍ଧାଇଥିଲା। ଉଜ୍ଜୈନରେ ଏପରି ଏକ ଘଟଣା ଘଟିଛି। ଏଠାରେ ମୁକେଶ ନାମକ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିବାକୁ ନାଗଝିରି ଥାନାକୁ ପହଞ୍ଚିଥିଲେ।

ଉଜ୍ଜୈନର ନାଗଝିରିରେ ରହୁଥିବା ରାମଚନ୍ଦ୍ର ଲୋହାରଙ୍କ ପୁଅ ମୁକେଶ ବିରୋଧରେ ୨୦୧୪ମସିହାରେ ନିଜ ସମ୍ପର୍କୀୟଙ୍କ ସହ ମାଡ଼ପିଟ କରିବାର ଅଭିଯୋଗ ହୋଇଥିଲା।

ଏହି ମାମଲାରେ ପୋଲିସ୍ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲା। କିନ୍ତୁ ସେହି ସମୟରେ ମାମଲା ଆଉ ଆଗକୁ ବଢ଼ିପାରିନଥିଲା। ସେହି ସମୟରେ ମୁକେଶ ସୀତାମଢ଼ି ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏବଂ ସୀତାମଢ଼ିରେ ରହିଥିଲେ। ଏପଟେ ଉଜ୍ଜୈନରେ ରୁଜୁ ହୋଇଥିବା ଏଫଆଇଆର ମାମଲାରେ କୋର୍ଟରେ ମୁକେଶଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଥିଲା।

ଉଜ୍ଜୈନ ପୋଲିସ୍ ମୁକେଶଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିବାରୁ ଜଣା ପଡ଼ିଥିଲା ଯେ ସେ ବିହାରରେ ରହୁଛନ୍ତି। ମୁକେଶ ଆଗ୍ରା ଜିଲ୍ଲାର ନଳଖେଡ଼ା ଅଞ୍ଚଳର ମୂଳ ବାସିନ୍ଦା।

ପୋଲିସ୍ କୌଣସି ଉପାୟରେ ମୁକେଶଙ୍କ ମୋବାଇଲ୍ ନମ୍ବର ଖୋଜି ତାଙ୍କୁ ଫୋନ୍ କରିଥିଲା। କୋର୍ଟ ମୁକେଶଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିବା କଥା ପୋଲିସ୍ ତାଙ୍କୁ କହିବାରୁ ସେ ପ୍ରଥମେ ଡରି ଯାଇଥିଲେ। କିନ୍ତୁ ପରେ ପୋଲିସ୍ ତାଙ୍କୁ ବୁଝାଇ ଦେଇଥିଲା ଯେ ସେ ସେଠାରେ ହାଜର ହେଲେ ମାମଲା ଶୀଘ୍ର ରଫାଦଫା ହୋଇଯିବ।

ପୋଲିସ୍ ବୁଝାଇବାରୁ ସେ ଉଜ୍ଜୈନ ଆସିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମୁକେଶଙ୍କୁ ସୀତାମଢ଼ିରୁ ଉଜ୍ଜୈନ ଯିବା ପାଇଁ କୌଣସି ବସ୍ କିମ୍ବା ଟ୍ରେନ୍ ମିଳିନଥିଲା। ଟଙ୍କା ପଇସା ଅଭାବ ବି ଥିଲା। ଏପରି ପରିସ୍ଥିତିରେ ସେ ସାଇକେଲରେ ଉଜ୍ଜୈନ ଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବାହାରି ପଡ଼ିଥିଲେ। ତାଙ୍କୁ ସୀତାମଢ଼ିରୁ ଉଜ୍ଜୈନ ଯିବାକୁ ପାଖାପାଖି ୨ସପ୍ତାହ ସମୟ ଲାଗିଥିଲା। ସେ ୧୪୦୦କିଲୋମିଟର ଯାତ୍ରା କରିଥିଲେ।

ସାଇକେଲରେ ଉଜ୍ଜୈନ ଆସିବାବେଳେ ମୁକେଶଙ୍କ ଟଙ୍କା ସରି ଯାଇଥିଲା। ଏହା ପରେ ସେ ଅନେକ ଦିନ ଯାଏଁ ରାସ୍ତାରେ ରହି ଦିନ ମଜୁରିଆ କାମ କରିଥିଲେ। କିଛି ଟଙ୍କା ଜମା ହେବାରୁ ସେ ଉଜ୍ଜୈନ ପାଇଁ ବାହାରିଥିଲେ। ଶେଷରେ ସେ ଗୁରୁବାର ନାଗଝିରି ଥାନାକୁ ପହଞ୍ଚିବା ପରେ ପୋଲିସମାନେ ତାଙ୍କୁ ଦେଖି ତାଜୁବ୍ ହୋଇଯାଇଥିଲେ। ତାଙ୍କଠୁ ପୂରା କଥା ଶୁଣିବା ପରେ ପୋଲିସ୍ କର୍ମଚାରୀ ଏତେ ପ୍ରଭାବିତ ହୋଇଥିଲେ ଯେ ଫୁଲମାଳ ପିନ୍ଧାଇ ଅଭିନନ୍ଦନ କରିଥିଲେ ଏବଂ ତାଙ୍କ ସହ ଫଟୋ ଉଠାଇଥିଲେ। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.