ସ୍କୁଟି ଶିଖୁଥିବାବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | June 18, 2019 IST

ଜଲନ୍ଧର ୧୮/୬: ଜଳନ୍ଧରରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ବିଏସଏଫ କଲୋନୀରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସ୍କୁଟି ଚଲାଇବା ଶିଖାଇବା ପାଇଁ ଘରୁ ବାହାରିଥିଲେ। ହଠାତ୍ ସ୍କୁଟି ଚଲାଉଥିବା ମହିଳାଙ୍କ ଭାରସାମ୍ୟ ବିଗିଡ଼ିବଯିବାରୁ ସେ ସିଧା ଆଗରେ ଯାଉଥିବା ଟ୍ରକକୁ ଧକ୍କା କରି ଦେଇଥିଲେ।

ମହିଳାଜଣକ ହେଲେ ଜନତା କଲୋନୀରେ ରହୁଥିବା ୪୨ବର୍ଷ ବୟସ୍କ ଶଶୀ ଏବଂ ତାଙ୍କ ସ୍ବାମୀ ହେଲେ ୫୦ବର୍ଷ ବୟସ୍କ ସୁଦେଶ କୁମାର। ସୁଦେଶ ଆଜି ବିଏସଏଫ କଲୋନୀ ସାମନାରେ ପତ୍ନୀ ଶଶୀଙ୍କୁ ଆକ୍ଟିଭା ଶିଖାଉଥିଲେ। ସୁଦେଶ ରାସ୍ତାରେ ପତ୍ନୀଙ୍କୁ ଆକ୍ଟିଭା ଚଲାଇବାକୁ ଦେଇ ଦେଇଥିଲେ। ଉଭୟେ ମକସୁନ୍ଦା ପାଖରେ ପହଞ୍ଚି ମଣ୍ଡିରୁ ବାହାରି ଆଗେ ଯାଉଥିବାବେଳେ ଏକ ଟ୍ରକକୁ ଧକ୍କା ଦେଇଥିଲେ। ସୁଦେଶଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି। କିନ୍ତୁ ଟ୍ରକର ଚକ ଶଶୀଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ସ୍‌ଥାନୀୟ ଲୋକେ ଉଭୟଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତରମାନେ ଶଶୀଙ୍କୁ ମୃତ ଘୋଷିତ କରିଥିଲେ।

ଏହି ଘଟଣାର ସୂଚନା ପୋଲିସକୁ ଦିଆଯାଇଛି। ଏହାପରେ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ସୁଦେଶଙ୍କ ବୟାନ ରୁଜୁ କରିଛି। ସୁଦେଶଙ୍କ କହିବାନୁସାରେ ଟ୍ରକ ଚାଳକଙ୍କ କୈାଣସି ଭୁଲ ନଥିବା କହିଛନ୍ତି। ତାଙ୍କ ପତ୍ନୀ ଆକ୍ଟିଭା ଚଲାଉଥିବାବଳେ ଭାରସାମ୍ୟ ହରାଇଥିଲେ। ଯାହା ଦ୍ବାରା ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.