ପ୍ରେମ ତ ଏମିତି ହୁଏ ; ହାତଗୋଡ଼ ନଥିବା ଯୁବତୀଙ୍କୁ ମନ୍ଦିରରେ ମିଳିଲା ଜୀବନ ସାଥୀ- ଭାଲେଣ୍ଟାଇନର ଏକ ଆଦର୍ଶ ପ୍ରେମକାହାଣୀ

Published By : Prameya-News7 Bureau | February 10, 2019 IST

ବିନୋଦ ଓ ଲକ୍ଷ୍ମୀ । ଏବେ ଗୋଟେ ଲଫାପାର ଦୁଇଟି ଠିକଣା । କାହାଣୀ ସରୁନି କି ପ୍ରେମ ବି ସରୁନି ।

ଆଜି ସେମାନଙ୍କ ବିବାହର ପ୍ରଥମ ବାର୍ଷିକ । ଯେମିତି ଲାଗୁଛି କାହାଣୀ ଆରମ୍ଭ ହେଲା ଠିକ ସେମାନଙ୍କ ପ୍ରେମ ପରି, କେଉଁଠି ସରିବ କାହାକୁ ଜଣା ନାହିଁ ।

ଲକ୍ଷ୍ମୀର ନା ଥିଲା ହାତ ନା ଗୋଡ଼ । ଛୋଟବେଳୁ ମାଆ-ବାପାଙ୍କ ପାଖରେ ବୋଝ ହୋଇ ରହିଥିଲା । ପାଳିବା ପୋଷିବା ବଡ଼ କଥା ନୁହେଁ ଲକ୍ଷ୍ମୀର ବିବାହ ଥିଲା ସବୁଠୁ ବଡ଼ କଥା । ଏଭଳି ଜଣେ ବିକଳାଙ୍କ ଝିଅକୁ ବା କିଏ ବାହା ହେବ ?

ଲକ୍ଷ୍ମୀ ଦେଖିବାକୁ ସୁନ୍ଦର ଥିଲା, ହେଲେ ହାତ ପାଦ ନଥିବାରୁ କେହି ବି ବାହାହେବାକୁ ରାଜି ନଥିଲେ ।

ଠିକ ଏହିଦିନରେ ଲକ୍ଷ୍ମୀ ସହିତ ଦେଖା ହୋଇଥିଲା ବିନୋଦର  ଏକ ମନ୍ଦିରରେ । ଦୁହେଁ ଦୁହିଁକି ଭଲ ପାଇଥିଲେ । ଜୀବନଠାରୁ ଅଧିକ ଭଲ ପାଉଥିବା ବିନୋଦ ଦିନେ ଲକ୍ଷ୍ମୀକୁ ତାଙ୍କ ଘରକୁ ବୋହୂ କରି ନେଇ ଯିବାକୁ ସ୍ଥିର କରିଥିଲା ।

ସେଇଆ ବି ହେଲା, ଲକ୍ଷ୍ମୀର ସିନା ହାତଗୋଡ଼ ନଥିଲା - କିନ୍ତୁ ସେ ଯେମିତି ଥିଲା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ । କିଛିଦିନ ଭିତରେ ଶଶ୍ଵର ଘରେ ସମସ୍ତଙ୍କ  ମନ ମୋହି ନେଇଥିଲା ଲକ୍ଷ୍ମୀ ।

ଆଜି ଦୁନିଆରେ ଲକ୍ଷ୍ମୀ ଆଉ ବିନୋଦ ଚର୍ଚ୍ଚିତ ଯୋଡ଼ି । ଯାହାଙ୍କ ପ୍ରେମକାହାଣୀ ଆଜି ଦୁନିଆରେ ସବୁଠୁ ବଡ଼ ଚର୍ଚ୍ଚା ।

୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଲକ୍ଷ୍ମୀ ଓ ବିନୋଦ ଆଜି ପାଳୁଛନ୍ତି ପ୍ରଥମ ବିବାହ ବାର୍ଷିକ ।

ପ୍ରେମରେ ନିଜକୁ ସମର୍ପି ଦେଇଥିବା ଏହି ପ୍ରେମୀ କଣ ଭାଲେଣ୍ଟାଇନ ସପ୍ତାହ ପାଇଁ ଆଦର୍ଶ ନୁହେଁ ।

ଲକ୍ଷ୍ମୀ ଓ ବିନୋଦ ପ୍ରେମ ପାଇଁ ଜୀବନ ଦେଇଛନ୍ତି । କେହି କାହାକୁ ଘଡ଼ିଏ ନ ଦେଖିଲେ ରହିପାରନ୍ତିନି । ଜଣେ ଭିନ୍ନକ୍ଷମ ଝିଅକୁ ବାହାହେବା ପାଇଁ ନିଷ୍ପତ୍ତି ନେବା ପୁଣି ପ୍ରେମରେ ହସଖୁସିର ସଂସାର ଚଳାଇବା କମ୍ ବଡ଼କଥା ନୁହେଁ ।

କୋଉ ଚକଲେଟ, ଟେଡ଼ି,ଗୋଲାପଫୁଲରେ ହେଇଯାଏ ନାହିଁ ପ୍ରେମ । ପ୍ରେମ ପାଇଁ ଦରକାର ସମର୍ପଣଭାବ । ଏହି ସମର୍ପଣଭାବ ହିଁ ପ୍ରେମ ।

ଯେଉଁଠି ସମର୍ପଣ ନାହିଁ, ସେଇଠି ପ୍ରେମର କଥା କୁଆଡ଼ୁ ଆସିବ । ଆଜିକାଲି ଲୋକଦେଖାଣିଆ ଭାବେ ଭାଲେଣ୍ଟାଇନ ପାଳନ କରୁଥିବା ପ୍ରେମୀଙ୍କୁ ଲକ୍ଷ୍ମୀ ଓ ବିନୋଦଙ୍କ କାହାଣୀ କଣ ଯଥେଷ୍ଟ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.