ଏମିତି ଏକ ହସ୍ପିଟାଲ ଯେଉଁଠି ଜଣେ ବି କରୋନା ରୋଗୀଙ୍କର ହୋଇନି ମୃତ୍ୟୁ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/୦୬ : ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥା (All India Institute of Ayurveda) ରେ ଏବେ ଶୁଦ୍ଧ ୬୦୦ କରୋନା ରୋଗୀଙ୍କ ଚିକିତ୍ସା ହୋଇଛି । ଖାସ କଥା ହେଲା ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ଏଠାରେ ସାମାନ୍ୟ ଆକ୍ରାନ୍ତ ଓ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି । ଏଠାକାର କୋଭିଡ ହେଲ୍ଥ ସେଣ୍ଟରରେ ୬୦୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ହସ୍ପିଟାଲ ପ୍ରଶାସନ ଦାବି କରିଛି ଯେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କୌଣସି କରୋନା ରୋଗୀଙ୍କର ମୃତ୍ୟୁ ହୋଇନାହିଁ । ଭର୍ତ୍ତି ହୋଇଥିବା ୯୪ ପ୍ରତିଶତ ରୋଗୀଙ୍କ ଚିକିତ୍ସା ଆୟୁର୍ବେଦ ଉପାୟରେ କରାଯାଉଛି । ଏଥିରେ ଆୟୁର୍ବେଦ ଔଷଧ, ଯୋଗ ଓ ପ୍ରାଣାୟାମ ସାମିଲ ରହିଛି । ୬ ପ୍ରତିଶତ ରୋଗୀଙ୍କ ଚିକିତ୍ସା ପାଇଁ ଏଲୋପାଥି ଔଷଧ ବ୍ୟବହାର କରାଯାଇଛି ।
ଏଠାରେ ଚିକିତ୍ସିତ ହୋଇଥିବା ୬୦୦ ରୋଗୀଙ୍କ ମଧ୍ୟରୁ ଜଣକ ସ୍ଥିତି ଗୁରୁତର ହୋଇଥିଲା ଯାହାକୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅର୍ଥାତ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନାହିଁ ।
AIIA ର ନିର୍ଦ୍ଦେଶକ ଡ.ତନୁଜା ନେସାରି କହିଛନ୍ତି ଯେ, "ଆବଶ୍ୟକ ପଡିଲେ ଏଠାରେ ଏଲୋପାଥି ଡାକ୍ତର ମଧ୍ୟ ଅଛନ୍ତି । ରୋଗୀଙ୍କ ସ୍ଥିତି ଦେଖି ଏଲୋପାଥି ଔଷଧ ଦିଆଯାଉଛି । ଏଠାରେ ୯୯.୯୯% ରୋଗୀ ସୁସ୍ଥ ହୋଇଛନ୍ତି । କରୋନା ରୋଗୀଙ୍କ ପାଇଁ ଏହି ହସ୍ପିଟାଲରେ ୪୭ ବେଡ଼ ରହିଛି । ଆୟୁର୍ବେଦ, ଯୋଗ, ହୋମ, ପ୍ରାଣାୟାମ ଆଦି ଦ୍ୱାରା ରୋଗୀଙ୍କ ଚିକିତ୍ସା କରାଯାଏ । ହସ୍ପିଟାଲ କର୍ମଚାରୀ ମଧ୍ୟ ଯୋଗ, ପ୍ରାଣାୟାମ କରନ୍ତି । ସକାଳ ସମୟରେ ଯୋଗ୍ୟ ଓ ହୋମ କରାଯାଏ । ଗିଲୋଇ, କିଛି ଜଡିବୁଟି, ଆୟୁଷ ୬୪, ଆୟୁଷ କାଢା, ଅଶ୍ଵଗନ୍ଧା ଆଦି ରୋଗୀଙ୍କୁ ଦିଆଯାଏ ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.