ଲକ୍‌ଡାଉନ୍‌ ପୂର୍ବରୁ ପ୍ରବାସୀଙ୍କୁ ଯିବାକୁ ଦିଆଯାଇଥିଲେ ସଂକ୍ରମଣ ମାମଲା ଏମିତି ବଢିନଥାନ୍ତା: ରିପୋର୍ଟ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ  ଲକ୍‌ଡାଉନ୍‌କୁ ଖୋଲିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଲକ୍‌ଡାଉନ୍ ୫.୦ରେ ପର୍ଯ୍ୟାୟକ୍ରମେ ବଡ ଗତିବିଧି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ ଜନ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ କହିଛନ୍ତି, ଯଦି ପ୍ରବାସୀ ଶ୍ରମିକଙ୍କୁ ଲକ୍‌ଡାଉନ୍ ଲାଗୁ କରାଯିବା ପୂର୍ବରୁ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥାନ୍ତେ ତେବେ ଦେଶରେ କରୋନା ସଂକ୍ରମଣ ବଢିବାକୁ ରୋକା ଯାଇ ପାରିଥାନ୍ତା। କାରଣ ସେହି ସମୟରେ ଏହି ସଂକ୍ରାମକ ରୋଗ କମ ସ୍ତରରେ ବ୍ୟାପୁଥିଲା।

ଫେରୁଥିବା ପ୍ରବାସୀ କରୁଛନ୍ତି ସଂକ୍ରମଣ

ଏମ୍ସ, ଜେଏନୟୁ, ବିଏଚୟୁ ସମେତ ଅନ୍ୟ ସଂସ୍ଥାର ଜନ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ କରୋନା ଭାଇରସ୍‌ସମ୍ବନ୍ଧିତ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଫେରୁଥିବା ପ୍ରବାସୀ ଦେଶର ପ୍ରତି କୋଣକୁ ସଂକ୍ରମଣ ନେଇ ଯାଉଛନ୍ତି। ଅଧିକାଂଶ ପ୍ରବାସୀ ସେହି ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉପନଗର ଇଲାକା ଯାଉଛନ୍ତି ଯେଉଁଠି ସଂକ୍ରମଣ ମାମଲା କମ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ରିପୋର୍ଟ

ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଆସୋସିଏସନ(IPHA), ଇଣ୍ଡିଆନ ଆସୋସିଏସନ ଅଫ ପ୍ରିଭେନଟିଭ୍ ଆଣ୍ଡ ସୋସିଆଲ ମେଡିସିନ(IAPSM) ଓ ଇଣ୍ଡିଆନ ଆସୋସିଏସନ ଅଫ ଏପିଡେମୋଲଜିଷ୍ଟ(IAE)ର ବିଶେଷଜ୍ଞ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଛି। ଏଥିରେ କୁହାଯାଇଛି, ଭାରତରେ ମାର୍ଚ୍ଚ ୨୫ରୁ ମେ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେଲା ଏବଂ ଏହି ସମୟରେ କରୋନା ସଂକ୍ରମଣ ମାମଲା ମଧ୍ୟ ଦ୍ରୁତ ବେଗରେ ବଢିଲା।

ରିପୋର୍ଟରେ କୁହଯାଇଛି, ନୀତି ନିର୍ମାତା ସ୍ପଷ୍ଟ ଭାବେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଭରସା କଲେ। ମହାମାରୀ ବିଜ୍ଞାନ, ଜନ ସ୍ଵାସ୍ଥ୍ୟ, ନିବାରକ ଔଷଧ ଓ ସାମାଜିକ ବୈଜ୍ଞାନିକ କ୍ଷେତ୍ରରେ ଆଲୋଚନା ସୀମିତ ରହିଲା। ରିପୋର୍ଟରେ କୁହାଯାଇଛି ଭାରତକୁ ମାନବୀୟ ସଙ୍କଟ ଓ ରୋଗ ସଂକ୍ରମଣ କାରଣରୁ ବହୁମୂଲ୍ୟ ଦେବାକୁ ପଡୁଛି।

ବିଶେଷଜ୍ଞ ଜନ ସ୍ଵାସ୍ଥ୍ୟ ଓ ମାନବୀୟ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାସ୍ତରରେ ଅନୁଶାସନାତ୍ମକ ଜନ ସ୍ଵାସ୍ଥ୍ୟ ଓ ନିବାରକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଓ ସାମାଜିକ ବୈଜ୍ଞାନିକଙ୍କ ଏକ ସମିତି ଗଠନ କରିବାକୁ ସୁପାରିଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.