ପ୍ରତିବାଦ କରିବାରୁ ଆକ୍ରମଣ, ଛାତ୍ରୀଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ ଆଘାତ କରି ରୋଡ୍‌ ରୋମିଓ ଫେରାର

Published By : Prameya-News7 Bureau | December 28, 2020 IST

ଗୁରୁଗ୍ରାମ ୨୮/୧୨: ପ୍ରତିବାଦରୁ ଆକ୍ରମଣ। ଦୁର୍ବ୍ୟବହାରକୁ ପ୍ରତିବାଦ କରିବାରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ରୋଡ୍‌ ରୋମିଓ । ଧାରୁଆ ଅସ୍ତ୍ରରେ ଛାତ୍ରୀଙ୍କ ମୁହଁରେ ଚୋଟ ପକାଇ ଛୁ ମାରିଲେ । ଏହି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଏହି ଘଟଣା ହରିୟାଣାର ଗୁରୁଗ୍ରାମରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ନିଜ ଘର ପାଇଁ ସାମଗ୍ରୀ ଆଣିବାକୁ ବାହାରକୁ ଯାଇଥିଲେ। ଫେରିଲା ବେଳେ ରାସ୍ତାରେ ଦୁଇ ଜଣ ବଦମାସ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଦୁଇ ଯୁବକ ଦୁର୍ବ୍ୟବହାର କରିବା ସହ ଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ଆସିଥିଲେ ବୋଲି ପୀଡ଼ିତାଙ୍କ ଭଉଣୀ କହିଛନ୍ତି। ଏପରିକି ସେମାନେ ଛାତ୍ରୀଙ୍କ ଶରୀରରେ ବାରମ୍ବାର ହାତ ମଧ୍ୟ ମାରୁଥିଲେ।

ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ସେମାନଙ୍କୁ ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କ ମୁହଁକୁ ଆଘାତ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଇ ଯୁବକ ଏଭଳି କରିଥିଲେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଏହା ସହ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଏଭଳି ରୋଡ ରୋମିଓଙ୍କୁ ସାବାଡ଼ କରିବାକୁ ହରିୟାଣା ସରକାର ‘ଅପରେସନ୍‌ ଦୁର୍ଗା’ ଆରମ୍ଭ କରିଥିଲେ। ମିଳିଥିବା ସୂଚନା ଅନୁସରେ ଗୁରୁଗ୍ରାମରେ ୧ ଜାନୁଆରୀ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୨୨୦ରୁ ଅଧିକ ଦୁର୍ବ୍ୟବହାର ମାମଲା ରୁଜ ହୋଇଛି। କିନ୍ତୁ ‘ଅପରେସନ୍‌ ଦୁର୍ଗା’ ପ୍ରଭାବ ହରାଉଥିବା ବି ଲୋକେ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.