ଫୋନ୍ ନମ୍ବର ଓ ଫଟୋ ନେଇ ବ୍ଲାକମେଲିଂ କରୁଥିଲେ , ଅନେକ ଯୁବତୀଙ୍କ ଜୀବନ ସହ ଖେଳିଲେ,ପୁଣି ଗୋଟିଏ ଦିନ…
25/11/2020 at 3:21 PM

ଜାହାଙ୍ଗୀରପୁରୀ ୨୫/୧୧: ଯୁବତୀଙ୍କ ଫଟୋକୁ ଅପବ୍ୟବହାର କରି ବ୍ଲାକମେଲ୍ କରି ଟଙ୍କା ଆଦାୟ କରିବାର ଏକ ଗ୍ୟାଙ୍ଗକୁ ଜାହାଙ୍ଗୀରପୁରୀ ପୋଲିସ୍ ଗିରଫ କରିଛି। ପୋଲିସ୍ ଏହି ଗ୍ୟାଙ୍ଗର ମୁଖ୍ୟ ସମେତ ୨ସଦସ୍ୟଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ୍ ଦେଶବ୍ୟାପି ୧୫୦ରୁ ଅଧିକ ଯୁବତୀଙ୍କୁ ନିଜ ଶିକାର କରିଛି।
ଜାହାଙ୍ଗୀରପୁରୀ ବାସିନ୍ଦା ପୀଡ଼ିତା ନଭେମ୍ବର ୨୦ତାରିଖରେ ଥାନାରେ ମାମଲା ରୁଜୁ କରିଥିଲେ। ପେଶାରେ ଏୟାର ହୋଷ୍ଟେସ୍ ଥିବା ପୀଡ଼ିତା କହିଛନ୍ତି ଯେ ତାଙ୍କ ଫଟୋର ଅପବ୍ୟବହାର କରି କେହି ତାଙ୍କ ପାଖକୁ ହ୍ବାଟସଆପରେ ପଠାଉଛି। ଏହା ସହିତ ୨୦ହଜାର ଟଙ୍କା ନଦେଲେ ଏହି ଫଟୋକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାର ଧମକ ଦେଉଛି। ପୋଲିସ୍ ଆଇଟି ଆକ୍ଟ ଏବଂ ଅନ୍ୟ ଧାରାରେ ମୋକଦ୍ଦମା ରୁଜୁ କରି ଅପରାଧିଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା। ସେମାନେ ହ୍ବାଟସଆପ୍ ନମ୍ବର ଜରିଆରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଏହା ପରେ ନଭେମ୍ବର ୨୧ତାରିଖରେ ପୋଲିସ୍ ଟିମ୍ ଗୁରୁଗ୍ରାମରୁ ସୋଏବ ଅଖତର ଏବଂ ନସିମୁଲ ଅଖତରକୁ ଗିରଫ କରିଥିବାବେଳେ ତୃତୀୟ ଅଭିଯୁକ୍ତ ଏବେ ଯାଏଁ ଫେରାର ରହିଛି।
ତଦନ୍ତରୁ ଜଣା ପଡ଼ିଥିଲା ଯେ ସୋଏବ ଅଖତର ଗ୍ୟାଙ୍ଗର ମୁଖ୍ୟ। ସେ ଗୁରୁଗ୍ରାମ ସ୍ଥିତ ଟିସି ଫାଇନାନ୍ସିଆଲ୍ କମ୍ପାନୀରେ କାମ କରୁଥିଲା,କିନ୍ତୁ ଲକଡାଉନରେ ତାକୁ ଚାକିରୀରୁ ବାହାର କରି ଦିଆଯାଇଥିଲା। ଏହା ପରେ ସେ ଗାଁଲୋକଙ୍କ ସହ ମିଶି ବ୍ଲାକମେଲ୍ କରିବାକୁ ଲାଗିଲା। ପୋଲିସ୍ ଏବେ ସୁଦ୍ଧା ୪୫ଜଣ ପୀଡ଼ିତାଙ୍କ ସହ ଯୋଗାଯୋଗ କରିଥିଲା। ଶିକାର ପୀଡ଼ିତାଙ୍କ ମଧ୍ୟରେ ଆଲାହାବାଦର ଯୁବତୀ ମଧ୍ୟ ଅଛନ୍ତି। ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାରେ ପୋଲିସକୁ ୧୨ଲକ୍ଷ ଟଙ୍କା ମଧ୍ୟ ମିଳିଛି ଯାହା ସେମାନେ ବ୍ଲାକମେଲିଂ କରି ଆଦାୟ କରିଥିଲେ।
ସୋଏବ ଯେଉଁ କମ୍ପାନୀରେ କାମ କରୁଥିଲା ତାହା କ୍ୟାଶବିନ୍ ନାମକ ଏକ ଆପ୍ ଆଧାରିତ କମ୍ପାନୀ ସହ ଜଡ଼ିତ ଥିଲା। କ୍ୟାଶବିନ୍ ଆପ୍ରେ ଲୋକେ ସଦସ୍ୟ ହୋଇଥାନ୍ତି ଏବଂ କାଗଜପତ୍ର କାମ ପୂରା ହେବା ପରେ ତାଙ୍କୁ ସହଜରେ ଲୋନ୍ ଆଦି ମିଳିଥାଏ। ସୋଏବକୁ ଚାକିରୀରୁ ବାହାର କରାଯିବାବେଳେ ତା ପାଖରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଡାଟା ଥିଲା। ଏହି ଡାଟାର ବ୍ୟବହାର କରି ସେ ବ୍ଲାକମେଲ୍ କରୁଥିଲା।
ପୋଲିସର କହିବା ଅନୁସାରେ ସୋଏବ ଗ୍ରାଫିକ୍ସ ଡିଜାଇନିଂର କୋର୍ସ କରିଥିଲା। ତା ନିକଟରୁ ୪ଟି ଫୋନ୍ ଏବଂ ୨ଟି ଲାପଟପ୍ ଜବତ ହୋଇଛି। ଲାପଟପରେ ୩ହଜାରରୁ ଅଧିକ ଯୁବତୀଙ୍କ ଫଟୋ ମିଳିଛି,ଯେଉଁଗୁଡ଼ିକର ଅପବ୍ୟବହାର କରି ସେ ବ୍ଲାକମେଲ୍ କରୁଥିଲା। ଏହା ବ୍ୟତୀତ ୫୦୦ରୁ ଅଧିକ ଏପରି ଫଟୋ ମିଳିଛି ଯାହାକୁ ଅପବ୍ୟବହାର କରାଯାଇ ସାରିଛି। ସୋଏବ ଯେକୌଣସି ଯୁବତୀଙ୍କ ଫଟୋକୁ ବହୁତ ସହଜରେ ବଦଳାଇ ପାରୁଥିଲା। ଏହା ପରେ ଗ୍ୟାଙ୍ଗର ଅନ୍ୟ ଲୋକେ ଏହାକୁ ପୀଡ଼ିତାଙ୍କ ହ୍ବାଟସଆପରେ ପଠାଇ ଟଙ୍କା ଆଦାୟ କରୁଥିଲେ। ୩ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ଟିମ୍ ପଶ୍ଚିମ ବଙ୍ଗ ଯାଇଛି।