ଗୋଟିଏ ବାଇକ୍‌ରେ ୩ ଜଣ ଯାଉଥିବାରୁ ଫାଇନ୍‌ ଦେଲେ, ଘଣ୍ଟାଏ ପରେ ଦୁର୍ଘଟଣାରେ ହରାଇଲେ ପ୍ରାଣ

Published By : Prameya-News7 Bureau | April 12, 2021 IST

ବାଡମେର ୧୨/୪: ସଡ଼କ ଦୁର୍ଘଟଣାରେ ଜୀବନ ଯିବା ଘଟଣା କିଛି ନୂଆ ନୁହେଁ। ପ୍ରତି ଦିନ ଅନେକ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କିଛି ଅମାନିଆ ଟ୍ରାଫିକ୍‌ ନିୟମ ନମାନି ମୃତ୍ୟୁର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳେ। ସେପଟେ ଆଉ କିଛି ଦୁର୍ଘଟଣାକୁ ଦେଖିଲେ ମନରେ ପ୍ରଶ୍ନ ଉଠେ, ଏମିତି ବି ମୃତ୍ୟୁ ଆସେ ? ରାଜସ୍ଥାନର ବାଡମେରରେ ସେମିତି ଏକ ଦୁର୍ଘଟଣା ଖବର ମିଳିଛି।

ଗୋଟିଏ ବାଇକରେ ୩ ଜଣ ଯାଉଥିବାରୁ ଟ୍ରାଫିକ୍‌ ପୋଲିସ ଫାଇନ୍‌ କାଟିଲା। କିନ୍ତୁ ଘଣ୍ଟାଏ ପରେ ସଡ଼କ ଦୁର୍ଘଟଣାରେ ସେହି ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଗଲା। ବାଡମେର ଏସଏଚଓ ରାମନିବାଶ ବିଷ୍ଣୋଇଙ୍କ ଅନୁସାରେ ବଚଦୌ ଗାଁର ୩ ଶ୍ରମିକ ବାଇକ୍‌ ଯୋଗେ ବାଲୋତ୍ରାରୁ ଗାଁକୁ ଫେରୁଥିଲେ। ଫେରୁଥିବା ବେଳେ ଖେତ ସିଂହ କି ପ୍ୟାୟୁ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଗାଁ ବାଡମେରରୁ କେବଳ ୧୨ କିଲୋମିଟର ଦୂରରେ ଅବସ୍ଥିତି।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୩ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୋଲିସ ଏହା ମଧ୍ୟ ଦାବି କରିଛି ଯେ, ମୃତକମାନେ ଦୁର୍ଘଟଣାର ଶିକାର ହେବାର ଘଣ୍ଟାଏ ପୂର୍ବରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ବାଡମେରରେ ଫାଇନ୍‌ ଦେଇଥିଲେ। ସେମାନେ ଗୋଟିଏ ମଟର ସାଇକେଲ୍‌ରେ ୩ ଜଣ ଆସୁଥିଲେ। ତେବେ ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.