ଟିକା ନେବାର କିଛି ମାସ ପରେ ଶରୀରରୁ କମୁଛି ରୋଗ ପ୍ରତିରୋଧକ ଶକ୍ତି: ଆଇସିଏମଆର

Published By : Prameya-News7 Bureau | September 15, 2021 IST

ଭୁବନେଶ୍ଵର ୧୫।୦୯:  ତୃତୀୟ ଲହର ନେଇ ମନ ଭିତରେ ଭୟ ଥିବା ବେଳେ ଏକ ଗବେଷଣାରୁ ଜଣାଯାଇଛି ଯେ କୋଭିଡ ଟୀକା ନେବାର କିଛି ମାସ ପରେ ଶରୀରରୁ ରୋଗପ୍ରତିରୋଧକ ଶକ୍ତି  ହ୍ରାସ ପାଉଛି। ଭୁବନେଶ୍ବର ଆରସିଏମଆର ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ସ୍ପଷ୍ଟ ହେଉଛି। ତେବେ ଏହା ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିନପାରେ, କିନ୍ତୁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି କି ନାହିଁ ଏହା ଉପରେ ଗବେଷଣାକୁ ତ୍ଵରାନ୍ଵିତ କରାଯାଇଛି।

ଟିକା ପରେ ବି ଶଙ୍କା ଯାଉନି। ଟିକା ନେବାର କିଛି ମାସ ପରେ କୋଭିଡ ବିରୋଧୀ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଚାଲୁଛି।  ଭୁବନେଶ୍ବର ଆରସିଏମଆର ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ସ୍ପଷ୍ଟ ହୋଇଛି। ୬୧୪ ଜଣ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ ୩୦୮ ଜଣ କୋଭିସିଲଡ ଟିକା ନେଇଥିଲେ ଏବଂ ୩୦୬ ଜଣ କୋଭାକ୍ସିନ ଟିକା ନେଇଥିଲେ। ତେବେ ଜଣାଯାଇଛି ଯେ ମୋଟ ୬୧୪ ଜଣଙ୍କ ମଧ୍ୟରୁ କେବଳ ୮୧ ଜଣଙ୍କର ଆଣ୍ଟିବଡି କିଛି ମାସ ପର୍ଯ୍ୟନ୍ତ ପୂର୍ବଭଳି ରହିଛି। ଅବଶିଷ୍ଟ ୫୩୩ ଜଣଙ୍କର ଆଣ୍ଟିବଡି ହ୍ରାସ ପାଇଛି। କୋଭାକ୍ସିନ ନେବାର ୨ ମାସ ପରେ ଏବଂ କୋଭିସିଲଡ ନେବାର ୩ ମାସ ପରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଛି। ତେବେ ଏହାଦ୍ଵାରା ଯେ ଜଣେ କୋଭିଡରେ ସଂକ୍ରମିତ ହେବ ତାହା ନୁହେଁ ବୋଲି ଆଶ୍ଵାସନା ଦେଇ କହିଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି।

ପୂର୍ବରୁ ବ୍ରିଟେନରେ ଅନୁରୂପ ଅନୁଧ୍ୟାନ କରାଯାଇଥିଲା। ଫାଇଜର ଏବଂ ଆଷ୍ଟ୍ରାଜେନେକା ଡବଲ ଡୋଜ ଟିକା ନେବାର ୬ ମାସ ପରେ ଆଣ୍ଟିବଡି ବହୁ ମାତ୍ରାରେ ହ୍ରାସ ପାଉଥିବା ଦେଖାଯାଇଥିଲା। ତେଣୁ ଅନେକ ଦେଶ ଏବେ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦେବା ଆରମ୍ଭ କଲେଣି। ଭାରତରେ ବୁଷ୍ଟର ଡୋଜର ଆବଶ୍ୟକତା ଅଛି କି ନାହିଁ ଏହା ଉପରେ ଭୁବନେଶ୍ବର ଆରଏମଆରସି ପକ୍ଷରୁ ଗବେଷଣା କରାଯାଇଥିଲା।

ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ତୃତୀୟ ଲହର ସେତେଟା ବିପଦ ସୃଷ୍ଟି କରିବ ନାହିଁ। ତେବେ ତୃତୀୟ ଲହର ପୂର୍ବରୁ ଯେତେ ସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ଜାରି ରହିଛି। ଏବେସୁଦ୍ଧା ୭୬ କୋଟିରୁ ଅଧିକ ଡୋଜ ଟିକା ଦିଆସରିଲାଣି। ଆଗକୁ ବୁଷ୍ଟର ଡୋଜର ଆବଶ୍ୟକତା ଅଛି କି ନାହିଁ ସେ ନିଷ୍ପତ୍ତି ନେବେ ବିଶେଷଜ୍ଞମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.