ସେଲ୍ଫି ହେଲା କାଳ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ
12/01/2021 at 11:09 AM

ରାମଗଡ଼, ୧୨/୦୧: ଦିନକୁ ଦିନ ଯୁବପଢ଼ୀ ନୂଆ ନୂଆ ଟ୍ରେଣ୍ଡିଂକୁ ଆପଣେଇବାରେ ବ୍ୟସ୍ତ। ଏମିତିକି କିଛି ଟ୍ରେଣ୍ଡିଂ ଜୀବନ ମଧ୍ୟ ନେଉଛି। ଏଥି ମଧ୍ୟରେ ସେଲ୍ଫି ନେବା ନିଶା ଏବେ ସମସ୍ତଙ୍କୁ ଘାରିଛି। ସେଲ୍ଫି ପାଇଁ କିଛି ଯୁବକ ଯୁବତୀ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି।
ଏମିତି ଏକ ଦୁର୍ଘଟଣା ଗତ ରବିବାର ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ମାଇଲ୍ ରେଳ ଷ୍ଟେସନରେ ଘଟିଛି। ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେବା ଜଣେ ୧୬ ବର୍ଷିୟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଟ୍ରେନ୍ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ଯୁବକ ଜଣକ ଜଳି ଯାଇଛନ୍ତି।
ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ମୁତାବକ ଚିତ୍ତରପୁରର ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହିତ ରେଲଓ୍ବେ ଷ୍ଟେସନକୁ ବୁଲିବାକୁ ଯାଇଥିଲେ। ସେଠାରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଉକ୍ତ ଯୁବକ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଟ୍ରେନ୍ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିବା ରେଲଓ୍ବେ ପୋଲିସ୍ ଫୋର୍ସର ଅଧିକାରୀ ଆର୍.କେ. ତିୱାରି କହିଛନ୍ତି।
ମୃତ ଯୁବକଙ୍କ ଶରୀରକୁ ଉଦ୍ଧାର କରି ରେଲୱେ ପୋଲିସ୍ ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା। ଏହାପରେ ଯୁବକଙ୍କ ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ରେଲଓ୍ବେ ଇନସପେକ୍ଟର ତିୱାରି କହିଛନ୍ତି ।