ଭିକ୍ଷୁକଙ୍କ ମହାନତା, ନିଜେ ଭିକ ମାଗି ଚଳନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ଦେଲେ ୯୦ ହଜାର ଟଙ୍କା

Published By : Prameya-News7 Bureau | August 18, 2020 IST

ମଦୁରାଇ ୧୮/୦୮ : ମଦୁରାଇ ଫୁଟପାଥରେ ରହୁଥିବା ଜଣେ ଭିକାରି, ପୁଲ୍ ପାଣ୍ଡିଆନ୍ କୋଭିଡ-୧୯ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି | ଏଥିପାଇଁ ଜିଲ୍ଲା ଅଧିକାରୀ ତାଙ୍କୁ ପୁରସ୍କାର ଦେଇଛନ୍ତି | ଜିଲ୍ଲା ପ୍ରଶାସନ ମଧ୍ୟମରେ ପୁଲ୍ ପାଣ୍ଡିଆନ୍ ଗତ ୩ ମାସରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ଦାନ କରିଛନ୍ତି | ପୁଲ୍ ପାଣ୍ଡିଆନ୍ ମେ ୧୮ ତାରିଖରେ ପ୍ରଥମେ ୧୦ ହଜାର ଟଙ୍କା ଦାନ କରିଥିଲେ | ଏହାପରେ ସେ ୮ ଥର କଲେକ୍ଟର ଅଫିସକୁ ଆସିଛନ୍ତି | ପ୍ରତ୍ୟେକଥର ସେ ନିଜ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି | ଏହିଭଳି ସେ ୯୦ ହଜାର ଟଙ୍କା ଦାନ କରିଛନ୍ତି |

ଜିଲ୍ଲା କଲେକ୍ଟର ସ୍ୱାଧୀନତା ଦିବସ ଅବସରରେ ପୁରସ୍କାର ପାଇବାକୁଥିବା ଲୋକଙ୍କ ତାଲିକାରେ ପୁଲ୍ ପାଣ୍ଡିଆନଙ୍କ ନାଁ ମଧ୍ୟ ସାମିଲ କରିଥିଲେ | ଏଥିପାଇଁ ତାଙ୍କୁ ଖୋଜିବାକୁ ପଡ଼ିନଥିଲା | ପୁଲ୍ ପାଣ୍ଡିଆନ୍ ଗୋଟିଏ ଜାଗାରେ ରୁହନ୍ତିନି | ସେଥିପାଇଁ ତାଙ୍କୁ କୋଉଠି ଖିଜି ପାଇବେ ତାହା ଚିନ୍ତାର ବିଷୟ ଥିଲା | କିନ୍ତୁ ସୋମବାର ଦିନ ନବମ ଥର ପାଇଁ ଦାନ କରିବାକୁ ପୁଲ୍ ପାଣ୍ଡିଆନ୍ ନିଜେ ଅଫିସକୁ ଆସିଥିଲେ | ଏହାପରେ ତାଙ୍କୁ ସିଧା କଲେକ୍ଟରଙ୍କ ଚାମ୍ବରକୁ ନିଆଯାଇଥିଲା | ସେଠାରେ କଲେକ୍ଟର ତାଙ୍କୁ ପୁରସ୍କାର ଦେଇଥିଲେ |

ପୁଲ୍ ପାଣ୍ଡିଆନ୍ ତୁତିକୋରିନ ଜିଲ୍ଲା ନିବାସୀ | ତାଙ୍କର ଦୁଇ ପୁଅ | ତାଙ୍କର ଦୁଇ ପୁଅ ତାଙ୍କର ଦେଖାଶୁଣା କରିବାକୁ ମନା କରିଦେବାରୁ ସେ ଭିକ ମାଗି ଚଳୁଥିଲେ | ଏହା ପୂର୍ବରୁ ସେ ସରକାରୀ ସ୍କୁଲରେ ଟେବୁଲ, ଚୌକି କିଣିବାକୁ, ପାଣି ସୁବିଧା କରିବାକୁ ମଧ୍ୟ ସ୍କୁଲକୁ ଟଙ୍କା ଦାନ କରିଛନ୍ତି | ପୁଅମାନେ ତାଙ୍କ ମନ ଚିହ୍ନି ପାରିଲେନାହିଁ | କିନ୍ତୁ ନିଜେ ଅସୁବିଧାରେ ଥାଇ ମଧ୍ୟ ସେ ସମାଜ ପାଇଁ ଆଗେଇ ଆସିଛନ୍ତି |

ଲକଡାଉନ ବେଳେ ସେ ମଧ୍ୟ ମଦୁରାଇରେ ଫସି ଯାଇଥିଲେ | ସରକାର ତାଙ୍କୁ ମଦୁରାଇ ନଗର ନିଗମ ତରଫରୁ ସ୍ଥାପିତ ଏକ ଆଶ୍ରମରେ ସ୍ଥାନାନ୍ତର କରିଥିଲେ | ସେଠାରେ ଭୋଜନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପ୍ରତି ଧ୍ୟାନ ଦିଆଯାଉଥିଲା | ପରେ ସେ ସେହି ଆଶ୍ରମ ଛାଡି ଦେଇଥିଲେ ଏବଂ ଭିକ ମାଗିଥିଲେ | ଭିକ ମାଗି ଯାହା ଟଙ୍କା ପାଉଥିଲେ ତାକୁ ଦାନ କରିଦେଉଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.