ସାପ କାମୁଡ଼ାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ୯ ବର୍ଷର ଝିଅ, କାମୁଡିଥିବା ସାପକୁ ଘର ବାରଣ୍ଡାରେ ଘୋଡେଇକି ରଖିଛନ୍ତି ପରିବାର

Published By : Prameya-News7 Bureau | July 13, 2021 IST

ନବରଙ୍ଗପୁର ୧୩।୦୪:  ଗତ ଏକ ମାସ ଧରି ବିଷାକ୍ତ  ବିଷଧର ସାପ କାମୁଡ଼ାରେ ଅସହ୍ୟ ଯନ୍ତ୍ରଣାର କଲବଲ କୁନି ଝିଅ।  "ମୋତେ କେହି ବଞ୍ଚାଅ ମୁ ମରିଯିବି । "ମୁଁ ଆଉ ବଞ୍ଚି ପାରିବିନି ମତେ ମାରି ଦିଅ ନ ହେଲେ ଡାକ୍ତର ପାଖକୁ ନିଅ ବୋଲି କୋହଭରା କଣ୍ଠରେ କାନ୍ଦି କାନ୍ଦି ମଞ୍ଜୁଳା  ନିଜ ପରିବାର ଲୋକଙ୍କୁ ନେହୁରା ହେଉଛି l ହେଲେ ପରିବାର ପାଖରେ ସମ୍ବଳ ନାହିଁ କରିବେ କଣ ? ଏଭଳି ହୃଦୟ ବିଦାରକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର ବାଲିଝର ଗ୍ରାମରେ ଦେଖିବାକୁ ମିଳିଛି। ଏକ ନାଗ ସାପ କାମୁଡ଼ାରେ ହାତ ସଢିବାରେ ଲାଗିଛି ,ଅସହ୍ୟ ଯନ୍ତ୍ରଣାରୁ ବଞ୍ଚିବା ପାଇଁ ନିଜ ଜୀବନ ସହ ସଂଘର୍ଷ କରୁଛି ୯ ବର୍ଷର ଝିଅ ମଞ୍ଜୁଳା  ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର ବାଲିଝର ଗ୍ରାମର ସୁନାଧର ଅଣ୍ଟି ଗତ ଏକ ମାସ ପୂର୍ବେ ସକାଳ ପ୍ରାୟ ୮ ଟା ସମୟରେ ଚାଷ ପାଇଁ ନିଜ ଜମିକୁ ଯାଇଥିଲେ l ମା ସୁହାମଣି ଅଣ୍ଟି ଘର କାମରେ ବ୍ୟସ୍ତ ଥିଲେ l ଛୋଟ ଭାଇ ସହ ଭଉଣୀ ମଞ୍ଜୁଳା ଅଣ୍ଟି ଖେଳୁ ଥିବା ସମୟରେ  ଘର ଠାରୁ କିଛି ଦୂରରେ ଥିବା ଏକ ହରଡ଼ ଗଛରେ ପକ୍ଷୀ ଧରିବାକୁ ଚଢିଯାଇ ସେଠାରେ ଥିବା କୋରଡ଼ରେ ହାତ ଭର୍ତ୍ତି କରିଥିଲା l କିନ୍ତୁ କୋରଡ଼ ଭିତରେ ପକ୍ଷୀ ବଦଳରେ ବିଷଧର ନାଗ ସାପଟି ରହିଥିଲା ଓ ସେ ମଞ୍ଜୁଳାର ହାତକୁ ତିନୋଟି ଚୋଟ ମାରିଥିଲା l ମଞ୍ଜୁଳା ଯନ୍ତ୍ରଣାରେ ଛଟପଟ ହୋଇଥିଲା |

ଝିଅର ଯନ୍ତ୍ରଣା ଦେଖି ମା ସୁହାମଣି  ମଞ୍ଜୁଳାକୁ ସ୍ଵାମୀଙ୍କ ପାଖକୁ ନେଇଥିଲେ ଓ ପରେ ସାପ ମାରିବା କଥା ଜାଣି ଝିଅକୁ ସେହି ଦିନ ୨ଟା ସମୟରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯାଇଥିଲା |  ନବରଙ୍ଗପୁର ମେଡିକାଲରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ କୋରାପୁଟ ମେଡିକାଲକୁ ନେଇଥିଲେ | ଡାକ୍ତର ସେଠାରେ ତିନିଦିନ ଚିକିତ୍ସା କରିଥିଲେ କିନ୍ତୁ ମଞ୍ଜୁଳାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ କୋରାପୁଟ ଡାକ୍ତର ମଞ୍ଜୁଳାକୁ ବ୍ରହ୍ମପୁରର ନେବାପାଇଁ ପରାମର୍ଶ ଦେଇଥିଲେ | ଡାକ୍ତରଙ୍କ କଥା ଶୁଣି ସୁନାଧର ହଠାତ କିଛି ଚିନ୍ତା କରି ପାରି ନଥିଲେ | ପାଖରେ ପଇସା ନଥିବାରୁ ମଞ୍ଜୁଳାକୁ ଘରକୁ ଫେରାଇ ଆଣିଥିଲେ l

ବର୍ତ୍ତମାନ ମଞ୍ଜୁଳାର ଅବସ୍ଥା ଶୋଚନୀୟ । କାନ୍ଧ ଠାରୁ ଆଙ୍ଗୁଳି ଯାଏଁ ହାତ ଶଢ଼ି ଯିବାକୁ ବସିଲାଣି l  ଯନ୍ତ୍ରଣାରେ ଝିଅ ଚିତ୍କାର କରି କହୁଛି ମୋତେ ଜୀବନରେ ମାରିଦିଅ ନ ହେଲେ ଡାକ୍ତରଙ୍କ ନିକଟକୁ ନିଅ l ଅନ୍ୟପଟେ ଅଭାବ ଯୋଗୁଁ ଅସହାୟ ବାପା ମା ଝିଅର ଯନ୍ତ୍ରଣା ଦେଖି ଲୁଚି ଛପି କାନ୍ଦୁଛନ୍ତି l ଅପରପକ୍ଷରେ ବିଷ ଧର ସାପ ଟିକୁ ଉକ୍ତ ଗଛ କୋରଡ଼ରୁ ବାହାର କରି ଦୀର୍ଘ ଏକ ମାସ ହେବ ପରିବାର ଲୋକେ ଏକ ଡବାରେ ରଖିଛନ୍ତି। ଅଖିଆ ଅପିଆରେ ସାପଟି ଆଜି ପର୍ଯ୍ୟନ୍ତ ବଞ୍ଚି ରହିଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି | ନିଜ ଗ୍ରାମକୁ ଯାତାୟତ ପାଇଁ ସଡ଼କ ସୁବିଧା ନଥିବାରୁ ବର୍ତ୍ତମାନ ମଞ୍ଜୁଳା ହଳଦୀ ପଂଚାୟତର ସୁଆବେଡା ଗ୍ରାମର  ଅଜାଘରେ ରହୁଛି l

ଏ ନେଇ ସ୍ଥାନୀୟ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଘଟଣା ବିଷୟରେ ଜାଣିବା ପରେ ପ୍ରଶାସନ ପୀଡିତାକୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଆଣିଛନ୍ତି। ପୀଡିତା ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. ଅଜିତ କୁମାର ମିଶ୍ର କହିଛନ୍ତି ବୋଲି ରାଇଘର ବିଡ଼ିଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.